ଯାଜପୁର(ଏନଏନଏସ୍): ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ଜଣ ଶ୍ରମିକଙ୍କ ମୃତୁ୍ୟ ଘଟଣାକୁ ନେଇ ଚାଲିଛି ଖୋଳତାଡ । ସୂଚନାଯୋଗ୍ୟ ଗତକାଲି ଘଟଣାସ୍ଥଳରେ ଡିଆରଏମଙ୍କ ତଦନ୍ତ ପରେ ଆଜି ସେଫଟି ଟିମ୍ ଘଟଣାର ତଦନ୍ତ କରିବେ । ଏଭଳି ଦୁର୍ଘଟଣା କାହିଁକି ହେଲା , ଇଞ୍ଜିନ୍ ନଥାଇ କେମିତି ବଗି ଗଡ଼ିଲା ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ସେଫଟି ଟିମ୍ ।
ଖବର ଅନୁଯାୟୀ ଗତକାଲି ଅପରାହ୍ନରେ ବର୍ଷା ପବନ ଯୋଗୁ ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିଲେ । ଟ୍ରେନଟି ସେଫ୍ଟି ଲାଇନରେ ଦୀର୍ଘ ଦିନ ଧରି ଠିଆ ହୋଇଥିବା ଯୋଗୁଁ ତା ତଳେ ସମସ୍ତେ ଆଶ୍ରୟ ନେଉଥିଲେ, ହେଲେ ବିନା ଇଞ୍ଜିନରେ ଥିବା ମାଲବାହୀ ଟ୍ରେନଟି ବର୍ଷା ପବନରେ ହଠାତ୍ ଗଡ଼ିଯାଇଥିଲା । ଫଳରେ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ଶ୍ରମିକଙ୍କ ଉପରେ ଗାଡି ମାଡି ଯାଇଥିଲା । ଆଉ ତାପରେ ଜଣକ ପରେ ଜଣେ ଶ୍ରମିକଙ୍କ ଜୀବନ ଯାଇଥିଲା ।
ମୃତ ସମସ୍ତ ଶ୍ରମିକ ଠିକାରେ ରେଲୱେ ପାଇଁ କାମ କରୁଥିଲେ। ଏଥିରେ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛିା ଘଟଣା ପରେ ଖୋର୍ଦ୍ଧା ଡିଆରଏମଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ସେପଟେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି ।