ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟରଙ୍କୁ ଅଧିକ ଦାମରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ ୧୨.୨୫ କୋଟି ଟଙ୍କାରେ କିଣି ନେଇଛି କୋଲକାତା ନାଇଟ୍ ରାଇଡର୍ସ। ତେବେ ଚଳିତ ଆଇପିଏଲ ମହାନିଲାମୀରେ ପ୍ରଥମ ପ୍ଲେୟାର ଭାବେ ନିଲାମ ହୋଇଛନ୍ତି ଶିଖର ଧାୱନ । ଶିଖର ଧାୱନଙ୍କ ପାଇଁ ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ରେସ ଲାଗିଥିବା ବେଳେ ୮.୨୫ କୋଟିରେ ବାଜି ମାରିନେଲା ପଞ୍ଜାବ କିଙ୍ଗ୍ସ । ଆଇପିଏଲ୍ ୨୦୨୧ ରେ ସର୍ବାଧିକ ୱିକେଟ୍ ନେଇଥିବା ହର୍ଷଲ ପଟେଲଙ୍କୁ ୧୦.୭୫ କୋଟିରେ ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି । ସେହିଭଳି ନୀତୀଶ ରାଣାଙ୍କୁ ୮ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଆଜିର ମେଗା ଅକ୍ସନରେ ଦ୍ୱିତୀୟ ଖେଳାଳି ଭାବରେ ଆର. ଅଶ୍ୱିନୀଙ୍କୁ ୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିବା ମେଗା ନିଲାମ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର ।ବିସିସିଆଇ ପକ୍ଷରୁ ନିଲାମ ଡାକୁଥିବା ହ୍ୟୁ ଏଡମିଡେସ ନିଲାମ ଡାକିବା ସମୟରେ ହଠାତ ଷ୍ଟେଜ ଉପରୁ ପଡ଼ି ବେହୋସ ହୋଇଯାଇଥିଲେ । ଫଳରେ ନିଲାମ ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି ।
ଅନ୍ୟପକ୍ଷରେ ଆଇପିଏଲ୍ ପ୍ରଥମ ପର୍ଯ୍ୟାୟରେ ମହାନ ଖେଳାଳି ସୁରେଶ ରାଇନାଙ୍କୁ କୌଣସି ଦଳ କିଣି ନାହାଁନ୍ତି | ସେହିଭଳି ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ମଧ୍ୟ ବିକ୍ରି ହୋଇନାହାଁନ୍ତି।
ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲ୍ ର ୧୫ ତମ ସିଜନ୍ ପାଇଁ ଆଜି ବେଙ୍ଗାଲୁରୁରେ ନିଲାମର ପ୍ରଥମ ଦିନ | ଦୁଇ ଦିନ ଧରି ଚାଲିବ ଏହି ମେଗା ଅକ୍ସନ । ଏଥର ସାରା ବିଶ୍ୱରୁ ମୋଟ ୫୯୦ ଖେଳାଳି ନିଲାମରେ ଅଂଶ ଗ୍ରହଣ କରିଛନ୍ତି। ଏଥର ୧୦ ଟି ଦଳ ଖେଳାଳି କିଣିବା ପାଇଁ ପଡ଼ିଆକୁ ଓଲ୍ହାଇଛନ୍ତି |