ସମ୍ବଲପୁର(ଏନଏନଏସ୍): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ୱାଭାବିକ ସ୍ଥିତି ଫେରୁଥିବାରୁ କୋହଳ ହେଲା କର୍ଫ୍ୟୁ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି କିନ୍ତୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଦିନରେ କର୍ଫ୍ୟୁ କୋହଳ କରାଯାଇଥିବାରୁ ଖୋଲିଛି ଦୋକାନବଜାର । ଏନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି । ଗୋବିନ୍ଦତୋଲା, ଗୋଲବଜାର, ଅଇଁଠାପାଲି , ବସଷ୍ଟାଣ୍ଡ ଆଦି ମାର୍କେଟ ସମ୍ପୂର୍ଣ ଖୋଲା ରହିଛି ।
ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ଅବଧି ଆଉ ଦିନେ ବଢ଼ିଛି। ଆସନ୍ତାକାଲି ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ରହିବ । କେବଳ ରେଢ଼ାଖୋଲ, ଜମନକିରା, କୁଚିଣ୍ଡା, ବାମରା, ଜୁଯୁମୁରା, ରେଙ୍ଗାଲି ଅଞ୍ଚଳରେ ଲିଜ ଲାଇନ ନେଇଥିବା ସଂସ୍ଥାମାନଙ୍କୁ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।