ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ୧୪ ଅକ୍ଟୋବର ୨୦୧୪ରେ ନିଷ୍ପତ୍ତି ନିଆଯାଇଥିଲା। ଉପସ୍ଥିତ ରାଷ୍ଟ୍ରର ସବୁ ସଦସ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ଏହାର ପରବର୍ଷ ୨୦୧୫ରେ ପାଳିତ ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ୱବ୍ୟାପୀ ୧୦୯ଟି ଦେଶରେ ପାଳନ ହେଉଛି ଯୋଗ ଦିବସ । ଏବର୍ଷର ଥିମ୍ ରହିଛି ‘ସୁସ୍ଥତା ପାଇଁ ଯୋଗ’ । ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ କ୍ଷେତ୍ରର ସାଧକ, ମହାପୁରୁଷ ଏବଂ ଜଣେ ଯେ କୌଣସି ଧର୍ମାବଲମ୍ବୀ ହୁଅନ୍ତୁ କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି। ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହିତ ମିଳିତ ହେବାକୁ ଏହା ବୁଝାଇଥାଏ। ଯୋଗକୁ କୌଣସି ନୀତି ରୂପେ ନୁହେଁ ବରଂ ମାନବ ଜୀବନର ମୂଳଭୂତ ଆଧାରଶିଳା ଭାବେ ଗ୍ରହଣ କରିବା ଉଚିତ। ଧର୍ମ ପାଳନ ଏବଂ ସାଧନା ହେଉଛି ଯୋଗର ଦୁଇଟି ବାହୁ। ଏହିପରି ଯୋଗ ହେଉଛି ଏକ ସାମଗ୍ରିକ ଜୀବନ ପଦ୍ଧତି। ଯୋଗ ସାଧନାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିତ୍ୱର ଜୀବନରେ ସରସତା ଆନନ୍ଦ ଆଣିବା ସହ ସନ୍ତୁଳନ ସାଧନା କରିବା। ଶ୍ରୀମଦ ଭଗବତ ଗୀତା ତ ସ୍ୱୟଂ ଯୋଗଶାସ୍ତ୍ର। ଜ୍ଞାନଯୋଗ ଅନୁସାରେ ବ୍ରହ୍ମଙ୍କ ସହିତ ଏକତ୍ର ଜ୍ଞାନ ହିଁ ମୁଖ୍ୟ। ବ୍ରହ୍ମ ଭାବରେ ସ୍ଥିତି ଲାଭ କରିବା ହିଁ ଜ୍ଞାନଯୋଗ ସାଧନାର ଲକ୍ଷ୍ୟ। କର୍ମ ହେଉଛି ବନ୍ଧନର କାରଣ। ଏଥିରୁ ମୁକ୍ତିଲାଭ କରିବା ସକାଶେ କର୍ମଯୋଗର ସାହାଯ୍ୟ ନିଆଯାଏ। ନରନାରାୟଣଙ୍କ ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ନିଷ୍କାମ କର୍ମଯୋଗ ବୋଲାଯାଏ। ଆଧ୍ୟାତ୍ମିକ ପିପାସୁଙ୍କ ମତରେ ଭଗବତ ପ୍ରାପ୍ତିର ସର୍ବାପେକ୍ଷା ସରଳ ଓ ସୁଗମ ମାର୍ଗ ହେଉଛି ଭକ୍ତିଯୋଗ। ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ମାନସିକ, ଶାରିରୀକ ଓ ମନସ୍ତାତ୍ତ୍ବିକ ଆହ୍ବାନଗୁଡିକର ସମ୍ମୁଖୀନ ହେବା ପାଇଁ ଯୋଗ ସାହାଯ୍ୟ କରିଥାଏ।