ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦିଏ ଆମ ଦେଶ । କଥାରେ ଅଛି ଗୋଟିଏ ବାଡିକୁ ଭାଙ୍ଗିବା ସହଜ ହେଲେ ଯେବେ ସବୁ ବାଡି ଏକାଠି ବାନ୍ଧି ହୋଇ ରୁହନ୍ତି ତାଙ୍କୁ ଭାଙ୍ଗିବା କଷ୍ଟକର । ସେଥିରେ ହିଁ ଏକତାର ବନ୍ଧନ ବାରି ହୋଇ ପଡେ । ସମସ୍ତଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ଏକ ସମୃଦ୍ଧ ଦେଶର ଲକ୍ଷ୍ୟ ସମ୍ଭବ ହୋଇଥାଏ । ବିବିଧତା ମଧ୍ୟରେ ଏକତ୍ବକୁ ଦର୍ଶାଇବା, ନ୍ୟାୟ ପାଇଁ ପାରସ୍ପରିକ ଯତ୍ନ ଏବଂ ଚିନ୍ତାକୁ ପରିପ୍ରକାଶ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୨୦କୁ ବିଶ୍ବ ଏକତା ଦିବସ ଭାବରେ ପାଳନ କରାଯାଏ । ମିଳିତ ଜାତିସଂଘ ସାଧାରଣ ସଭା ଦ୍ବାରା ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ ଲାଗି ନିଷ୍ପତ୍ତି ଗ୍ରହଣ ହୋଇଥିଲା । ବିଭିନ୍ନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ବୁଝାମଣାକୁ ମନେ ପକାଇବା, ଲୋକଙ୍କୁ ଏକଜୁଟତାର ମହତ୍ତ୍ବ ବୁଝାଇବା, ସାମଗ୍ରିକ ବିକାଶ ଲାଗି ଜନତାଙ୍କୁ ପ୍ରେରିତ କରିବା ଦେଶର ବିକାଶ ପାଇଁ ନୂଆ ରାସ୍ତା ଖୋଜିବା ଉଦ୍ଦେଶ୍ୟରେ ଜାତିସଂଘ ପକ୍ଷରୁ ୨୦୦୫ରୁ ଏହି ଦିବସ ପାଳନ ପାଇଁ ଘୋଷଣା ହୋଇଥିଲା । ସେବେଠୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇଆସୁଛି । ଏକତା ଆଣିବାରେ ଶିକ୍ଷା ଗୁରୁତ୍ବ ବହନ କରିଥାଏ । ଶିକ୍ଷା ମାଧ୍ୟମରେ ଏକତା ଅଣାଯାଇପାରେ ।
ଏହିଦିନ ଜାତିସଂଘ କାର୍ଯ୍ୟାଳୟ ସମେତ ବିଶ୍ବର ଭିନ୍ନ ଭିନ୍ନ ଦେଶରେ ଗରିବୀ ଓ ରୋଗ ସହ ମୁକାବିଲା କରିବା ଲାଗି ଲୋକଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଥାଏ । ଏକତା ପାଣ୍ଠି ଗଠନ ଏବଂ ଏହା ଦ୍ବାରା ଦାରିଦ୍ର ଦୂରୀକରଣ ଲକ୍ଷ୍ୟ ନେଇ ଏହି ଦିବସ ଉଦ୍ଧିଷ୍ଟ । ବିବିଧତାମୟ ପୃଥିବୀରେ ଏକତାକୁ ପାଳନ କରିବା ଲାଗି ଏହି ଦିନ ଜାତିସଂଘ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଏ । ପ୍ରତିବର୍ଷ ଏହି ଦିବସର ବିଷୟବସ୍ତୁ ପରିବର୍ତ୍ତନ ହୋଇନଥାଏ । ଅନ୍ତର୍ଜାତୀୟ ମାନବ ଏକତା ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସହଯୋଗ, ସମାନତା ଏବଂ ସାମାଜିକ ନ୍ୟାୟର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ।