ଧିରେ ଧିରେ ଅଶାନ୍ତ ହେଉଛି ସମୁଦ୍ର । ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ। ଆସନ୍ତା ୧୨ରୁ ୩୬ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ତେବେ ବାତ୍ୟାର ଗତିପଥ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଆସନ୍ତାକାଲିଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବ । ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।ତେବେ କ’ଣ ରହିବ ବାତ୍ୟାର ତୀବ୍ରତା ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆସନ୍ତାକାଲି ପରେ ସ୍ପଷ୍ଟ ହେବ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ମହାକାଶରୁ ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା ଫଟୋରେ ସମୁଦ୍ର ଭିତରର ସ୍ଥିତିକୁ ବୟାନ କରୁଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଉତର ପଶ୍ଚିମ ଦିଗକୁ ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।