ଜଳୁଛି ସାରା ଓଡିଶା | କଲବଲ କରୁଛି ତାତି | ଆକାଶରୁ ହେଉଛି ଅଗ୍ନିବର୍ଷା । ପ୍ରବଳ ଗରମ ଯୋଗୁଁ ସନ୍ତୁଳି ହେଉଛନ୍ତି ଲୋକେ | ତାତିରୁ ନିସ୍ତାର ନାହିଁ । ଏପ୍ରିଲ ୨୯ ଯାଏ ତତଲା ତାୱାରେ ଭାଜି ହେବେ ପୂରା ଓଡ଼ିଶାବାସୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାତି । ହିଟ୍ଓ୍ବେଭ୍ ନେଇ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳକୁ ସତର୍କତା ଜାରି କରାଯାଇଛି ।
ଦିନ ୧୦ ଟା ହେଲେ ଲୋକେ ପଦାକୁ ବାହାରିବାକୁ ଭୟ କରୁଛନ୍ତି | ଟାଇଁ ଟାଇଁ ଖରାରେ ଦେହମୁହଁ ପୋଡି ଯାଉଛି । ପ୍ରବଳ ଗରମ ଯୋଗୁ ଘରେ ବି ରହିବା ମୁସ୍କିଲ ହୋଇପଡୁଛି । ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ସୋମବାର ୨୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୧୬ ସହରରେ ୪୨ ଡ଼ିଗ୍ରୀ ଏବଂ ତାଠାରୁ ଅଧିକ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ସହ ବଲାଙ୍ଗୀର ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସେହିଭଳି ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୯ ତାରିଖ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜିଠୁ ୫ଦିନ ଯାଏଁ ବନ୍ଦ ରହିବ ସ୍କୁଲ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।