ଭାରତ ପାକିସ୍ତାନର ସୀମା ୱାଘା ବର୍ଡର ସମ୍ପର୍କରେ ଆମେ ସମସ୍ତେ ଜାଣିଛୁ । ୱାଘା ସୀମାର ଗ୍ରାଣ୍ଡ ଟ୍ରଙ୍କ୍ ରୋଡରେ ଥିବା ଏହି ବର୍ଡର ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ଚିହ୍ନଟ କରେ । ଏଠାରେ ପ୍ରତିଦିନ ଆୟୋଜିତ ୱାଘା ବର୍ଡର ସମାରୋହ ବା ବିଟିଂ ରିଟ୍ରିଟ୍ ଉତ୍ସବ ମଧ୍ୟ ବେଶ୍ ଆକର୍ଷଣୀୟ । ସବୁଦିନ ସନ୍ଧ୍ୟାରେ ବା ସୂର୍ଯ୍ୟାସ୍ତର ଦୁଇ ଘଣ୍ଟା ପୂର୍ବରୁ ଭାରତ- ପାକିସ୍ତାନ ସେନାମାନେ ବର୍ଡର ପୋଷ୍ଟ ନିକଟରେ ସେନା ଭାଇଚାରା ପ୍ରଦର୍ଶନ ନିମନ୍ତେ ଅଧ ଘଣ୍ଟା ଏକାଠି ହୁଅନ୍ତି । ସେହିଭଳି ପ୍ରତିଦିନ ସକାଳେ ପାକିସ୍ତାନ ରେଞ୍ଜର୍ସ ଏବଂ ବିଏସ୍ଏଫ୍ ମୁଖ୍ୟ ଦୁଇ ଦେଶର ଜାତୀୟ ପତାକାକୁ ଉତ୍ତୋଳନ କରିଥାନ୍ତି । ଯାହାକୁ ଦେଖିବାକୁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବେଶ୍ ଭିଡ ଜମିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ବର୍ଡର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ କେବଳ ଗୋଟିଏ ବର ଗଛ ହିଁ ଦୁଇ ଦେଶର ସୀମାକୁ ଚିହ୍ନଟ କରୁଛି । ଜମ୍ମୁ ଜିଲ୍ଲାର ସୁଚେତଗଡ଼ଠାରେ ରହିଛି ଏହି ଅଶ୍ୱସ୍ଥ ଗଛ । ଶହେ ବର୍ଷର ପୁରୁଣା ଗଛରେ ୯୧୮ ଲେଖାହୋଇଛି । ଯାହାକି ୯୧୮ ସ୍ତମ୍ଭ ଭାବେ ଚିହ୍ନଟ କରୁଛି । ତେବେ ଏହି ଗଛ ଏବେ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସାଜିଛି । ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସୁଛନ୍ତି । ଏହି ଗଛର ଅଧା ଅଂଶ ଭାରତରେ ଏବଂ ଆଉ ଅଧା ପାକିସ୍ତାନରେ ରହିଛି । ଏହି ଗଛ ସକାଳେ ପାକିସ୍ତାନକୁ ଏବଂ ଅପରାହ୍ନରେ ଭାରତକୁ ଛାଇ ପ୍ରଦାନ କରୁଛି । ଏଠାକାର ଅନ୍ୟ ଏକ ଆକର୍ଷଣ ହେଲା ଶୀତଦିନେ ଏହି ଅଞ୍ଚରେ ବିଭିନ୍ନ ରଙ୍ଗବେରଙ୍ଗ ଚଢ଼େଇଙ୍କୁ ଦେଖିବାକୁ ମିଳେ । ନିକଟରେ ଥିବା ଘାରନା ଏବଂ ଅବଦୁଲିଆନ୍ ଆର୍ଦ ଭୂମି ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପକ୍ଷୀମାନେ ଏଠାକୁ ଆସିଥାନ୍ତି । ଦୁଇ ଦେଶ ମଧ୍ୟରେ ବିଭାଜନ ହୋଇଥିଲେ ମଧ୍ୟ ଏହି ଗଛ ଦୁଇ ଦେଶକୁ ଏକାଠି ବାନ୍ଧି ରଖିଛି । କିଛି ବର୍ଷ ପୂର୍ବେ ଏହି ଗଛ ନିକଟରେ ଏକ କଂକ୍ରିଟ୍ ପିରାମିଡ୍ ସ୍ତମ୍ଭ ୯୧୮ ଥିଲା । ସମୟ କ୍ରମେ ଗଛଟି ବଢ଼ିବା ସହିତ ଏହି ପିରାମିଡ୍ ସ୍ତମ୍ଭଟି ଗଛ ମଧ୍ୟରେ ଲୁଚି ଗଲା । ଭାରତୀୟ ସୀମା ସୁରକ୍ଷା ବାହିନୀ ଏବଂ ପାକିସ୍ତାନ ସୀମା ସୁରକ୍ଷା କରୁଥିବା ରେଞ୍ଜର୍ସ ଏହି ଗଛକୁ ନ କାଟିବା ପାଇଁ ନିଷ୍ପତ୍ତି ନେଲେ । ଫଳରେ ଏହି ଗଛ ଉପରେ ହିଁ ରଙ୍ଗରେ ୯୧୮ ଲେଖି ଦେଇଥିଲେ । ଅନ୍ୟ ସୀମା ସ୍ତମ୍ଭ ୯୧୯ କଂକ୍ରିଟ୍ ପିଲରରେ ଲେଖା ହୋଇଛି । ଜମ୍ମୁ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରାଯାଇଛି । ସୁଚେତଗଡ଼ ବର୍ଡର ଜମ୍ମୁଠାରୁ ୨୮ କି.ମି ଦୂରରେ ଅବସ୍ଥିତ । ଜମ୍ମୁରୁ ନାଇ ବସ୍ତି-ଗୁଲାବଗଡ଼ ଆଡେ ଯାଉଥିବା ରାସ୍ତାରେ ଏହା ପଡ଼େ ।