ରୁଷ- ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି | ଋଷର ସେନା ୟୁକ୍ରେନ ସହର ଉପରେ ଜାରି ରଖିଛନ୍ତି ବୋମା ବର୍ଷଣ ଓ ମିସାଇଲ ମାଡ | ରୁଷର ଏହି ଦମନଲୀଳାକୁ ବନ୍ଦ କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସରେ କରିଥିଲେ ଗୁହାରୀ | ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ (ଆଇସିଜେ ) ୟୁକ୍ରେନ ସପକ୍ଷରେ ନିଷ୍ପତ୍ତି ନେଇ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରିବା ବେଳେ ଆଇସିଜେ ଋଷ ସପକ୍ଷ ଓ ବିରୋଧରେ ମତଦାନ କରାଇବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ୧୩ ଜଣ ଜଷ୍ଟିସ ଋଷ ବିରୋଧରେ କରିଥିଲେ ମତଦାନ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆଇସିଜେରେ ଭାରତୀୟ ଜଷ୍ଟିସ ଦଲବୀର ଭଣ୍ଡାରୀ ମଧ୍ୟ ଋଷ ବିରୋଧରେ ମତଦାନ କରିଥିଲେ ।
ଜଷ୍ଟିସ ଦଲବୀର ଭଣ୍ଡାରୀଙ୍କ ନାମ ଆଜି ଏଥି ପାଇଁ ଚର୍ଚ୍ଚାରେ ରହିଛି କାରଣ ୟୁକ୍ରେନ-ରୁଷ ଯୁଦ୍ଧରେ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷତା ଅବଲମ୍ବନ କରିଆସୁଛି | କିନ୍ତୁ ୟୁକ୍ରେନ ପ୍ରସଙ୍ଗରେ ଦଲବୀର ଭଣ୍ଡାରୀଙ୍କ ଆଭିମୁଖ୍ୟ ଭାରତ ସରକାରଙ୍କ ବିରୋଧୀ । ଏହାପୂର୍ବରୁ, ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଉପରେ ଜାତିସଂଘରେ ମତଦାନରୁ ଭାରତ ନିଜକୁ ଦୂରେଇ ରଖିଥିଲା।
ତେବେ ଜାଣନ୍ତୁ କିଏ ଏହି ଦଲବୀର ଭଣ୍ଡାରୀ ?
ଜଷ୍ଟିସ୍ ଦଲବୀର ଭଣ୍ଡାରୀ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି। ଏହା ବ୍ୟତୀତ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏବଂ ବମ୍ବେ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ମଧ୍ୟ ରହିସାରିଛନ୍ତି। ୨୦୧୨ ରେ ସେ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସର ବିଚାରପତି ଥିଲେ । ଏହା ପରେ, ସେ ପୁନର୍ବାର ୨୦ ନଭେମ୍ବର ୨୦୧୭ ରେଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ୧୯୩ ରୁ ୧୮୩ ଭୋଟ ମିଳିଥିଲା | ଏହା ହେଉଛି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ |