ଉଗ୍ର ରୂପ ନେଉଛି ଯୁଦ୍ଧ | ୟୁକ୍ରେନର ରାଜଧାନୀ କିବର ସ୍ଥିତି ବିଗିଡ଼ିବାରେ ଲାଗିଛି | କେତେବେଳେ କଣ ଘଟିବ କହି ହେବ ନାହିଁ | ସେଠାରେ ଫଶି ରହିଥିବା ଭାରତୀୟଙ୍କ ପାଇଁ କଡା ଆଡ଼ଭାଇଜରୀ ଜାରି କରିଛନ୍ତି ଭାରତୀୟ ଦୂତାବାସ । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଯେ କୌଣସି ପରିସ୍ଥିତିରେ ସମସ୍ତ ଭାରତୀୟ ନାଗରିକ ଏବଂ ଛାତ୍ରମାନେ ଆଜି ୟୁକ୍ରେନ ରାଜଧାନୀ କିବ ଛାଡିଦେବା ଉଚିତ୍। ସେମାନେ ଟ୍ରେନ୍, ବସ୍ କିମ୍ବା ଅନ୍ୟ କୌଣସି ବାହାନ ସାହାଯ୍ୟ ନେଇ କିବକୁ ତୁରନ୍ତ ଛାଡ଼ିଦିଅନ୍ତୁ | ଋଷର ସେନା ଦ୍ରୁତ ଗତିରେ କିବ ଆଡକୁ ମାଡି ଆସୁଛନ୍ତି |
ୟୁକ୍ରେନର ରାଜଧାନୀ କିବକୁ କବଜା କରିବାକୁ ଋଷ ପକ୍ଷରୁ ଏକ ବିରାଟ ସାମରିକ କନଭେନ ପଠାଯାଇଛି। ଋଷର ଏକ 40 ମାଇଲ୍ (64 କିଲୋମିଟର) ଲମ୍ବା କନଭେନ କିବ ଆଡକୁ ମାଡି ଆସୁଛି | ରୁଷିଆ ଆକ୍ରମଣ ପରେ ୟୁକ୍ରେନକୁ ପଠାଯାଇଥିବା ଏହା ହେଉଛି ସବୁଠାରୁ ଦୀର୍ଘତମ ସାମରିକ କନଭେନ | ଏହାପୂର୍ବରୁ, ପଠାଯାଇଥିବା ଋଷିଆ କନଭେନର ଆକାର 3 ମାଇଲ ପର୍ଯ୍ୟନ୍ତ ଥିଲା |