ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ । ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷରେ ରହିଛନ୍ତି ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ସବୁଠାରୁ ଅଧିକ ପସନ୍ଦର ମୁଖ୍ୟମନ୍ତ୍ରୀ । ସର୍ଭେ ଅନୁସାରେ ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ । ଓଡ଼ିଶାର ମୋଟ ୨,୭୪୩ ଉତ୍ତରଦାତ୍ତାଙ୍କ ମଧ୍ୟରୁ ପ୍ରାୟ ୭୧.୧ ପ୍ରତିଶତ କହିଛନ୍ତି ଯେ, ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ସନ୍ତୁଷ୍ଟ ରହିଛନ୍ତି । ଗତବର୍ଷ ଜାନୁଆରୀରେ ଇଣ୍ଡିଆ ଟୁଡେ କରିଥିବା ସର୍ଭେରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିଥିଲେ ସର୍ବାଧିକ ଲୋକ । ସେତେବେଳେ ୫୧ ପ୍ରତିଶତ ଲୋକ ନବୀନ ସରକାରଙ୍କୁ ପସନ୍ଦ କରିଥିବାବେଳେ ସର୍ଭେରେ ସେ ଆଗରେ ରହିଥିଲେ । ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ସେହିପରି ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ । ଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ମମତାଙ୍କୁ ୬୯ ଦଶମିକ ୯ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ଷ୍ଟାଲିନଙ୍କୁ ପସନ୍ଦ କରିଛନ୍ତି ୬୭ ଦଶମିକ ୫ ପ୍ରତିଶତ ଲୋକ ।ଏହାପରେ ପରେ ରହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ(୬୧.୮%), କେରଳ ସିଏମ୍ ପିନରାୟ ବିଜୟନ୍(୬୧.୧%), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍(୫୭.୯%), ଆସାମର ହିମନ୍ତ ବିଶ୍ୱ ଶର୍ମା(୫୬.୬%) ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ(୫୧.୪%) ଲୋକ ପସନ୍ଦ କରିଛନ୍ତି ।