ଚାଲିଛି ଘମାଘୋଟ ଲଢେଇ | ୟୁକ୍ରେନରେ ଫସି ରହିଛନ୍ତି ବହୁ ଭାରତୀୟ | ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ରହିଛନ୍ତି ଛାତ୍ରଛାତ୍ରୀ | ଯେଉଁମାନେ ଉଚ୍ଚ ଶିକ୍ଷା ପାଇଁ ଯାଇଛନ୍ତି ୟୁକ୍ରେନ। ସରକାରଙ୍କ ସମ୍ମୁଖରେ ଏବେ ସବୁଠାରୁ ବଡ ଆହ୍ୱାନ ହେଉଛି କିଭଳି ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବ | ସେଥିପାଇଁ ଆରମ୍ଭ ହୋଇଛି ସମସ୍ତ ଉଦ୍ୟମ। ତେବେ ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ପଠାଇବ ବିମାନ | ଭାରତ ସରକାର ଏୟାର ଇଣ୍ଡିଆର ୨ ଟି ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ବିମାନ ଶନିବାର ସକାଳ ୨ ଟାରୁ ଉଡ଼ାଣ ଆରମ୍ଭ କରିବ | ଏହା ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଲୋକଙ୍କୁ ଏୟାରଲିଫ୍ଟ କରିବ | ଯାହାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର।
ଉଲ୍ଲେଖଯୋଗ୍ୟ ଯେ, ଋଷ ୟୁକ୍ରେନର ବିଭିର୍ନ ସହର ଉପରେ କରିଛି ଆକ୍ରମଣ | ସୁରକ୍ଷା ଦୃଷ୍ଟିରୁ ୟୁକ୍ରେନ ବିମାନ ଚଳାଚଳ ବନ୍ଦ କରିଦେଇଛି | ଏହି କାରଣରୁ, ୟୁକ୍ରେନର ରାଜଧାନୀ କିବ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନକୁ ଗତକାଲି ଫେରିବାକୁ ପଡିଥିଲା।
ଏକ ଆକଳନ ଅନୁଯାୟୀ, ଏହି ସଙ୍କଟ ସମୟରେ ପ୍ରାୟ ୧୬ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି। ଯେହେତୁ ୟୁକ୍ରେନର ସମସ୍ତ ବିମାନ ସେବା ବନ୍ଦ ହୋଇଯାଇଛି, ତେଣୁ ସେଠାରୁ ନାଗରିକମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡୁଛି | ତେବେ ସରକାର ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ହଙ୍ଗେରୀ ଏବଂ ପୋଲାଣ୍ଡର ସୀମା ଦେଇ ସେମାନଙ୍କୁ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଛି |
ଭାରତର ଵୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି, ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ନିରାପଦ ମାର୍ଗ ଚିହ୍ନଟ କରାଯାଇଛି। ସଡକପଥରେ ଯଦି ଆପଣ କିବରୁ ଯାଆନ୍ତି, ତେବେ ଆପଣ ନଅ ଘଣ୍ଟାରେ ପୋଲାଣ୍ଡ ଏବଂ ପ୍ରାୟ ୧୨ ଘଣ୍ଟାରେ ରୋମାନିଆରେ ପହଞ୍ଚିବେ | ସଡକପଥ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇଛି। ‘ୟୁକ୍ରେନର ଭାରତୀୟଙ୍କୁ ସହାୟତା ଏବଂ ସୂଚନା ଯୋଗାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ୨୪ * ୭ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି।