ଭାରତୀୟଙ୍କ ପାଇଁ ଆଶ୍ବସ୍ତିକର ଖବର | ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ | ହ୍ରାସ ପାଇବାରେ ଲାଗିଛି ନୂଆ କରୋନା ମାମଲା | ଗତ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୧ ହଜାରରୁ କମ୍ ନୂଆ କରୋନା ରୋଗୀ ହୋଇଛନ୍ତି ଚିହ୍ନଟ | ତେବେ ୭୧୫ ଦିନ ପରେ କରୋନା ମାମଲା ଏତେ ତଳକୁ ଖସିଥିବା ଜଣାପଡିଛି | ଭାରତରେ କରୋନାର ଦୈନିକ ପଜିଟିଭିଟି ହାର ୦.୨୯ ପ୍ରତିଶତକୁ ଖସି ଆସିଛି | ଏଥିସହିତ, କୋଭିଡ -୧୯ ର ସାପ୍ତାହିକ ପଜିଟିଭିଟି ହାର ୦.୨୨ ପ୍ରତିଶତରେ ପହଞ୍ଚିଛି |
ସୂଚନା ଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯୧୩ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ସମୟରେ ୧୩୧୬ ସଂକ୍ରମିତ ରୋଗୀ ହୋଇଛନ୍ତି ସୁସ୍ଥ | ବର୍ତ୍ତମାନ ଭାରତରେ କରୋନା ଭାଇରସର ୧୨ ହଜାର ୫୯୭ ସକ୍ରିୟ ମାମଲା ରହିଛି। ତେବେ ୭୧୪ ଦିନ ପରେ, ଭାରତରେ କୋଭିଡ -୧୯ ର ସକ୍ରିୟ ମାମଲା ସଂଖ୍ୟା ୧୩ ହଜାରରୁ କମ୍ ହୋଇଯାଇଛି।
ସଂକ୍ରମଣ କମୁଥିବାରୁ ଭାରତର କିଛି ରାଜ୍ୟ ମଧ୍ୟ ବାଧ୍ୟତାମୂଳକ ମାସ୍କ ପରିଧାନକୁ ଉଠାଇ ଦେଇଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନା ଆଦି ରାଜ୍ୟ ଗୁଡ଼ିକରେ ମାସ୍କ ନିୟମକୁ କୋହଳ କରିଦିଆଯାଇଛି । ଏଣିକି ଏହି ୩ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ମଧ୍ୟ ଜରିମାନା ଦେବାକୁ ପଡିବ ନାହିଁ ।
ଅନ୍ୟପକ୍ଷରେ ମାର୍ଚ୍ଚ ଶେଷ ସପ୍ତାହରେ ସାରା ବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା । ହେଲେ ମାର୍ଚ୍ଚ ୨୧ ରୁ ୨୭ ମଧ୍ୟରେ ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ କମିଯାଇଛି । ଯାହା ଏକ ଆଶ୍ୱସ୍ତିକର ଖବର ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।