ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି । ମିଳିତ ଜାତିସଂଘର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଜନସଂଖ୍ୟା ମାମଲାରେ ଭାରତ ଚୀନକୁ ପଛରେ ପକାଇଛି । ସୂଚନାଯୋଗ୍ୟ ଗୋଟିଏ ବର୍ଷ ଭିତରେ ଭାରତର ଜନସଂଖ୍ୟା ୧.୫୬ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ୧୪୨.୮୬ କୋଟି ଲୋକ ରହିଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି । ୟୁଏନ ରିପୋର୍ଟ ଅନୁସାରେ ଭାରତରେ ଜନସଂଖ୍ୟା ୧.୫୬ ପ୍ରତିଶତ ବୃଦ୍ଧି ପାଇଛି ।
ରିପୋର୍ଟରେ କୁହାଯାଇଛି ଯେ ଭାରତର ମୋଟ ପ୍ରଜନନ ହାର ୨.୦। ଏଠାରେ ଜଣେ ଭାରତୀୟ ପୁରୁଷଙ୍କ ହାରାହାରି ଜୀବନ ୭୧ ବର୍ଷ ଏବଂ ମହିଳାଙ୍କର ୭୪ ବର୍ଷ ରହିଛି। ଏହି ରିପୋର୍ଟ ୧୯୭୮ଠାରୁ ପ୍ରକାଶିତ ହୋଇଆସୁଛି। ୟୁଏନଏଫପିଏ ଇଣ୍ଡିଆର ପ୍ରତିନିଧି କହିଛନ୍ତି ଯେ, ସାରା ବିଶ୍ୱର ଜନସଂଖ୍ୟା ବର୍ତ୍ତମାନ ୮ ଅରବ ହୋଇଯାଇଛି । ଭାରତର ଜନସଂଖ୍ୟା ୧.୪ ଅରବରେ ପହଞ୍ଚିସାରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏକ ଶକ୍ତିଶାଳୀ ଦେଶ । ଏନେଇ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଓ ଆର୍ଥିକ ବିକାଶରେ ଲଗାତର ଆଗକୁ ବଢିବାରେ ଲାଗିଛି । ଆମେ ନୂଆ ନୂଆ ଜ୍ଞାନକୌଶଳ ନିର୍ମାଣରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢିଚାଲିଛି।