କରୋନା ବିରୋଧରେ ଲଢେଇ ପାଇଁ ଆଉ ୨ ଟୀକାକୁ ମିଳିଛି ମଞ୍ଜୁରୀ । କରୋନା ନିରୋଧୀ ଟୀକା କୋର୍ଭେବାକ୍ସ ଓ କୋଭୋଭାକ୍ସକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏଥିସହ ଆଣ୍ଟି ଭାଏରାଲ ବଟିକା ମୋଲନୁପିରବୀରକୁ ମଧ୍ୟ ଜରୁରୀ କାଳୀନ ବ୍ୟବହାର କରାଯାଇପାରିବ । ଉଭୟ ଟୀକାର ଜରୁରିକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁକ ମାଣ୍ଡଭୀୟ । କୋର୍ବେଭାକ୍ସ ଟିକା ହେଉଛି ଭାରତର ପ୍ରଥମ ସ୍ୱଦେଶୀ’ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ‘ଟିକା । ଭାରତରେ ଏହା ହେଉଛି ତୃତୀୟ ଟିକା । ଏହାକୁ ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁକ ମାଣ୍ଡଭୀୟ ଟୁଇଟ୍ କରି କହିଛନ୍ତି। ସେହିଭଳି କୋଭୋଭାକ୍ସକୁ ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ। ଏହା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ ଭାରତରେ ୧୩ଟି କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ରୋଗୀଙ୍କ ଚିକିତ୍ସାରେ ସୀମିତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି। ବର୍ଷକ ମଧ୍ୟରେ ଏହି ୨ଟି ଟିକା ଭଲ ପ୍ରଭାବ ପକାଇଥିବା ଦେଖାଯାଇଥିବା ବେଳେ କୋର୍ବେଭାକ୍ସ ଏବଂ କୋଭୋଭାକ୍ସର ପ୍ରଭାବ ମଧ୍ୟ ଭଲ ରହିବ ବୋଲି ଆଶା ରହିଛି ।