କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିଥିଲେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ କ୍ବାଡ଼ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ । ଏହାର ପୃଷ୍ଠଭୂମିରେ ଆମେରିକାନ ରିପବ୍ଲିକାନ ପାର୍ଟିର ସାଂସଦ ମାର୍କ ଗ୍ରୀନ କହିଛନ୍ତି ଯେ ଚୀନ ଏବଂ ତାଲିବାନର ଆତଙ୍କକୁ ରୋକିବା ପାଇଁ ଆମେରିକାକୁ ଏବଂ ଭାରତ ସହ ସମ୍ପର୍କକୁ ମଜଭୁତ କରିବାକୁ ହେବ । ମାର୍କ ଗ୍ରୀନ, ରିୟଲ କ୍ଲିୟର ଡିଫେନ୍ସ ନାମକ ଏକ ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଏକ ଆର୍ଟିକିଲରେ ଏହି ମନ୍ତବ୍ୟ ରଖିଛନ୍ତି । ଭାରତ ସହ ପ୍ରତିରକ୍ଷା ସହଭାଗିତାକୁ ମଜବୁତ କରିବା ଦିଗରେ ଆମର ପ୍ରଥମ ପଦକ୍ଷେପ ହେଉଛି ଚୀନ୍ ଏବଂ ବର୍ତ୍ତମାନ ଆଫଗାନିସ୍ତାନ ତାଲିବାନକୁ ମୁକାବିଲା କରିବା ପାଇଁ ଭାରତକୁ ଆବଶ୍ୟକ ସାମରିକ ଉପକରଣ ଯୋଗାଇବା । ଆହୁରି ମଧ୍ୟ ମାର୍କ ଗ୍ରୀନ କହିଛନ୍ତି ଯେ କ୍ବାଡ଼ ସମ୍ମିଳନୀ ପରଠାରୁ ଆମେରିକା ଏବଂ ଭାରତ ମଧ୍ୟରେ ବୈଦେଶିକ ସମ୍ପର୍କକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ଏବଂ ଭାରତ ସର୍ବଦା ବାଇଡେନଙ୍କର ଇଣ୍ଡୋ ପାସିଫିକ ରଣନୀତିର କେନ୍ଦ୍ର ହିଁ ରହିବ ବୋଲି ସେ ଆଶା କରୁଛନ୍ତି । ଚୀନର ଉତ୍ଥାନକୁ ମୁକାବିଲା କରିବା ପାଇଁ ଭାରତର ପ୍ରତିରକ୍ଷା ପ୍ରଣାଳୀକୁ ନବୀକରଣ କରିବାରେ ସାହାଯ୍ୟ କରି ଆମେରିକା ନିଜକୁ ରକ୍ଷା କରିବା ସହିତ ଭାରତ ମହାସାଗର ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରକୁ ମଧ୍ୟ ସୁରକ୍ଷା ଦେଇପାରେ । ସେପଟେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ସାଂସଦ ମାର୍କଙ୍କର କହିବା ଅନୁଯାୟୀ ଗତ ୧୫ ବର୍ଷ ମଧ୍ୟରେ ଆମେରିକା ଏବଂ ଭାରତ ମଧ୍ୟରେ ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା କାରବାର ହୋଇ ପାରିଛି । କିନ୍ତୁ ଏହା ବର୍ତ୍ତମାନର ପରିସ୍ଥିତି ରେ ପର୍ଯ୍ୟାପ୍ତ ନୁହେଁ। ସେ କହିଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ନିଜର ସମସ୍ତ ଯୁଦ୍ଧ ଉପକରଣ ଛାଡି ଫେରିବା ପରେ ତାଲିବାନ ପ୍ରାୟ ୮୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆମେରିକୀୟ ସାମରିକ ଉପକରଣକୁ ନିଜ ଅକ୍ତିଆରକୁ ନେଇ ସାରିଛି । ଏହା ବ୍ୟତୀତ ଗତ ଦୁଇ ଦଶନ୍ଧି ଧରି ଚୀନ୍ କ୍ରମାଗତ ଭାବରେ ନିଜର ସୈନ୍ୟବାହିନୀକୁ ଆଧୁନିକୀକରଣ କରିଆସୁଛି ଏବଂ ବର୍ତ୍ତମାନ ଏହା ହେଉଛି ବିଶ୍ୱର ସର୍ବ ବୃହତ ସେନା। ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମେରିକା ଭାରତକୁ ସାହାଯ୍ୟ କରିବା ଉଚିତ।
#India #America #NNSODIA