ଯୋଡ଼ାରେ ଗୋଷ୍ଠୀ ସଂଘର୍ଷ | ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ | ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି | ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଯୋଡାରେ ଲାଗୁ ହୋଇଛି ୧୪୪ ଧାରା। ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଧିକ ଗଣ୍ଡଗୋଳ ଆଶଙ୍କାରେ କେନ୍ଦୁଝର ଜିଲ୍ଲାରେ ବନ୍ଦ କରି ଦିଆଯାଇଛି ଇଣ୍ଟରନେଟ୍ ସେବା ।
ସୂଚନା ଅନୁସାରେ, ଶ୍ରୀରାମ ନବମୀ ଉପଲକ୍ଷେ ଶୋଭାଯାତ୍ରା ଶାନ୍ତିପୂର୍ଣ ଭାବେ ବାହାରି ଥିଲା | ପ୍ରଥା ଅନୁସାରେ ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରରେ ଝଣ୍ଡା ପୋତା ହେବାର ଥିଲା | କିନ୍ତୁ ରାତି ହୋଇଯାଇଥିବାରୁ ପୋଲିସ ଅନୁମତି ମିଳିନଥିଲା l ଗତକାଲି ଯେତେବେଳେ ବଜରଙ୍ଗ କମିଟି ଉକ୍ତ ବସ୍ତି ନିକଟରେ ଥିବା ମନ୍ଦିରରେ ଝଣ୍ଡା ଲଗାଇବାକୁ ଗଲେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ପକ୍ଷରୁ ଭଙ୍ଗାରୁଜା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ ପାଖାପାଖି ୧୦ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏସପିଙ୍କ ସହିତ ପୋଲିସ ଫୋର୍ସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି | ପରିସ୍ଥିତିକୁ ଦେଖି ଗତକାଲି ସନ୍ଧ୍ୟା ସାଢ଼େ ୫ଟାରୁ ଯୋଡ଼ାରେ ୧୪୪ ଧାରା ଜାରି କରାଯାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।