ଗତକାଲିଠାରୁ ସରିଛି ପ୍ରଚାର, ଆସନ୍ତାକାଲି ପଡ଼ିବ ତୃତୀୟ ପର୍ୟ୍ୟାୟ ଭୋଟ୍ । ତେବେ ଏହି ତୃତୀୟ ପର୍ୟ୍ୟାୟରେ ୬ ଲୋକସଭା ୪୨ ବିଧାନ ସଭା ପାଇଁ ହେବ ମତଦାନ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ବାସୀ ଦେବେ ଭୋଟ୍ । ଆଉ ଏହି ସିଟ୍ ସବୁରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ ।
କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ହୋଇଛି ତ୍ରୀମୁଖି ଲଢେଇ । ଜିତାପଟ କାହାର ହେବ ସେ ନେଇ ନିଷ୍ପତ୍ତି ନେବେ ଭୋଟର । ପୁରୀରେ ବିଜେପି ସମ୍ବିତ ପାତ୍ର, ବିଜେଡିରୁ ଅରୁପ ପଟ୍ଟନାୟକ ରହିଥିବା ବେଳେ କଂଗ୍ରେସରୁ ଜୟନାରାୟଣ ପଟ୍ଟନାୟକଙ୍କ ହେବ ଭାଗ୍ୟ ପରୀକ୍ଷା । ସେହିଭଳି ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ଙ୍କ ମଧ୍ୟରେ ହେଉଛି ଟକ୍କର ।
ସେପଟେ ଫୋକସରେ ଥିବା ସିଟ୍, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ରେ କିଏ ଜିତିପାରିଛି ଜନତାଙ୍କ ମନ, ତାହା ସ୍ପଷ୍ଟ ହେବ ।ଏହି ତିନି ଲୋକସଭା ସିଟ୍ ଉପରେ ରହିଛି ପୁରା ଦେଶର ନଜର ।
ତୃତୀୟ ପର୍ୟ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ। ୨ ହଜାର ମଡେଲ ବୁଥ୍ ରହିଥିବା ବେଳେ ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ଏମାନଙ୍କ ଭିତରେ ଅଛନ୍ତି ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା।
୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନାରେ ୬୪ ପ୍ରାର୍ଥୀ ଅଛନ୍ତି। ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ। ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ସର୍ବାଧିକ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ବା ସିଏପିଏଫ ମୁତୟନ ହେବେ । ବ୍ୟୁରୋ ରିପୋର୍ଟ ।