କେନ୍ଦ୍ର ସରକାର ଦେଶବାସୀଙ୍କୁ ନୂଆ ବର୍ଷ ଉପହାର ଦେଇଛନ୍ତି । ଟେକ୍ସଟାଇଲ ଉତ୍ପାଦ ଉପରେ ଏବେ ଜିଏସଟି ହାର ବୃଦ୍ଧି କରାଯିବ ନାହିଁ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେଣୁ ଏବେ ପୋଷାକ ମହାଙ୍ଗା ହେବ ନାହିଁ । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦର 46 ତମ ବୈଠକରେ ଟେକ୍ସଟାଇଲ ଉତ୍ପାଦ ଉପରେ ହାର ବୃଦ୍ଧି କରିବାର ନିଷ୍ପତ୍ତି ଉପରେ ଆଲୋଚନା କରାଯାଇଥିଲା। ସେପ୍ଟେମ୍ବରରେ ଏହାକୁ 5 ପ୍ରତିଶତରୁ 12 ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବା ସହ ଜାନୁୟାରୀ 1ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି ।
ସୂଚନା ଥାଉକି, ଗୁଜୁରାଟ ସମେତ ଅନେକ ରାଜ୍ୟ ଟେକ୍ସଟାଇଲ ଉତ୍ପାଦ ଉପରେ ଜିଏସଟି ହାର ବୃଦ୍ଧିକୁ ବିରୋଧ କରୁଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକ ଏବଂ କାରିଗରମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଜିଏସ୍ଟି ପରିଷଦରେ ମଧ୍ୟ ସମାନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।