ହିନ୍ଦୁ ଧର୍ମରେ ହୋମଯଜ୍ଞର ବିଶେଷ ମହତ୍ତ୍ୱ ରହିଛି । କୌଣସି ଶୁଭ କାର୍ୟ୍ୟ ବା ଗୃହ ପ୍ରବେଶ ପୂର୍ବରୁ ନିଶ୍ଚିତ ଭାବେ ହୋମ କରାଯାଇଥାଏ । କାରଣ ଏସବୁ ଶୁଭ କାର୍ଯ୍ୟ ପୂର୍ବରୁ ଯଦି ହୋମ ଯଜ୍ଞ କରାଯାଇଥାଏ ତେବେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ହୋମର କାରଣ ଏବଂ ହୋମ କରିବା ଦ୍ୱାରା କ’ଣ ଲାଭ ହୋଇଥାଏ?
ପରିବେଶକୁ ଶୁଦ୍ଧ ରଖିବା ପାଇଁ ହୋମ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହୋମଯଜ୍ଞ ଦ୍ୱାରା ସମସ୍ତ ଅଞ୍ଚଳ ପବିତ୍ର ହୋଇଥାଏ। ଏଥିସହ ଆଖପାଖ ସ୍ଥାନରୁ ନକରାତ୍ମକ ଶକ୍ତି ଦୂର ହୋଇ ପରିବେଶରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ହୋମ ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ।
ଏସବୁ ବ୍ୟତୀତ ହୋମ କରିବା ପାଇଁ ବିଶେଷ କାଠ ଆବଶ୍ୟକ ହୋଇଥାଏ । ଆମ୍ବ କାଠ , ବେଲ, ନିମ୍ବ, ଦେବଦାରୁ ଚେର, ଆମ୍ଭ ପତ୍ର, ଚନ୍ଦନ କାଠ, ରାଶି, ଜାମ୍ବ ପତ୍ର, ଅଶ୍ୱଗନ୍ଧା ଚେର, କର୍ପୁର, ଲବଙ୍ଗ, ଚାଉଳ, ବ୍ରାହ୍ମୀ, ଘିଅ ଏବଂ ଅନ୍ୟାନ୍ୟ ବନସ୍ପତିର ବ୍ୟବହାର କରାଯାଇଥାଏ । ଯାହାଫଳରେ ଏସବୁ ଜିନିଷ ବ୍ୟବହାର କରି ହୋମ କରିବା ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ରହିଥାଏ ।
ସେହିଭଳି ପରିବାରରେ ଲଗାତାର ବିବାଦ ଲାଗି ରହୁଥିଲେ ହୋମ କରିବା ଦ୍ୱାରା ଶାନ୍ତି ମିଳିଥାଏ । ହୋମ ର ପାଉଁଶକୁ ଘରର ଆଖପାଖରେ ପକାଇ ଦିଅନ୍ତୁ । ଏହା ଦ୍ୱାରା ଘରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। ଏଥିସହ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମଧ୍ୟ ହୋମ କରାଯାଇଥାଏ । ଏଥିପାଇଁ ଆପଣ ଶୁଭ ତିଥିରେ ହୋମ କରି ଏହାର ପାଉଁଶକୁ ଏକ ଲାଲ ବସ୍ତ୍ରରେ ବାନ୍ଧି ଘରେ ଥିବା ଲକର୍ରେ ରଖନ୍ତୁ । ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।