ବଢୁଛି ତାତି, ଜଳୁଛି ସାରା ଓଡିଶା | କଲବଲ କରୁଛି ଗୁଳୁଗୁଳି | ତେବେ ରାଜ୍ୟରେ ଆହୁରି ବଢିବ ତାତି | ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି | ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଅଞ୍ଚଳରେ ତାପାମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ। ତେବେ ରାଜ୍ୟରେ ଆଜିଠାରୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ୯ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ଗତ କିଛି ଦିନ ହେଲା ଜାରି ରହିଛି ଅଗ୍ନି ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ୫ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସର୍ବାଧିକ ତାପମାତ୍ରା ବଲାଙ୍ଗୀରଠାରେ ୪୧.୮ଡିଗ୍ରୀ ରେକର୍ଡକରାଯାଇଛି | ଟିଟିଲାଗଡ଼ରେ ୪୧.୪ ଡିଗ୍ରୀ, ବୌଦ୍ଧରେ ୪୧ ଡିଗ୍ରୀ ରହିଥିଲା । ସେହିଭଳି ଝାରସୁଗୁଡ଼ାରେ ୪୦.୬ ଡିଗ୍ରି ଓ ଭବାନୀପାଟଣାରେ ୪୦.୬ ଡିଗ୍ରୀ ରହିଥିଲା । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଦିନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।