ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀ ନଦୀରେ ଥିବା ବାଲିଘାଟ ନିଲାମ ବନ୍ଦ ରହିଛି | କିନ୍ତୁ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି | ଚୋରା ବାଲି ଚାଲାଣକାରୀଙ୍କୁ କିଏ ଦେଉଛି ପ୍ରଶୟ ? କାହାର ଛତ୍ରଛାୟା ତଳେ ଚାଲିଛି ବାଲି ଚୋରା ଚାଲାଣ | ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିଲେ ସୁଦ୍ଧା କିଭଳି ତାର ଟେର ପାଇପାରୁନି ରାଜସ୍ୱ କାର୍ଯ୍ୟଳୟ ? କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ନା ମିଲି ଭଗତରେ ଚାଲିଛି ବାଲି ଚୋରା ଚାଲାଣ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ | ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଆଲୋଚନା ହେଉଛି | ଢେଙ୍କାନାଳ ଜିଲ୍ଲା ଗଂଦିଆ ତହସିଲର ପିଙ୍ଗୁଆ ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ବାଲିଘାଟରେ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହେଉଛି |
ପିଙ୍ଗୁଆ ରାଜସ୍ୱ ନିରୀକ୍ଷକଙ୍କ ଅଧିନସ୍ତ ଖଣ୍ଡବନ୍ଧ ଗ୍ରାମରୁ ଚୋରା ଚାଲାଣ ହେଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ନିହାଲପ୍ରସାଦ ପୋଲିସ | ପୋଲିସ ସୂଚନା ପାଇ ଗତକାଲି ଗଂଦିଆ ଅତିରିକ୍ତ ତହସିଲଦାର ଗିତୁ ବେହେରା ସଦଳବଳେ କଲୁଣିଗଡା, ଖଣ୍ଡବନ୍ଧ ଓ ପିଙ୍ଗୁଆ ଗାଁରେ ଚଢ଼ାଉ କରିଛନ୍ତି | ଉକ୍ତ ଗ୍ରାମରେ ଥିବା 500 ଟ୍ରିପ ରୁ ଊର୍ଧ୍ୱ ଚୋରା ଗଛିତ ବାଲି କlଣ୍ଡିକୁ ଜବତ କରିଛନ୍ତି | ପରେ ଅନ୍ୟ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି 20 ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି | ତେବେ ଚୋରାରେ ଗଛିତ ଥିବା ବାଲିକlଣ୍ଡିଗୁଡିକୁ ନିଲାମ କରାଇବା ପାଇଁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ତହସିଲଦାର | ତେବେ ଗଛିତ ବାଲି କlଣ୍ଡିକୁ କେତେ ଟଙ୍କାରେ ନିଲାମ କରୁଛି ଗଂଦିଆ ତହସିଲ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |