<h3>ଏବେର ଏଇ ବ୍ୟସ୍ତ ବହୁଳ ଜୀବନରେ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଶରୀରର ମୋଟାପଣକୁ ନେଇ ବହୁତ ଚିନ୍ତିତ । ଏମିତିକି ଶରୀରର ମୋଟାପଣକୁ କମ୍ କରିବା ପାଇଁ ଜିମ୍ ଏବଂ ବ୍ୟାୟାମରେ ଅନେକ ଟଙ୍କା ବ୍ୟୟ କରୁଛନ୍ତି । ତେବେ ଆଜିର ଏଇ ଜୀବନଶୈଳୀ ମଧ୍ୟରେ ଛୋଟ ଛୁଆମାନଙ୍କର ମୋଟାପଣକୁ ନେଇ ବାପା ମାଆମାନେ ଅନେକ ସମୟରେ ଚିନ୍ତିତ ରହୁଥିବାର ଦେଖିବାକୁ ମିଳୁଛି । ଯେଉଁଥିପାଇଁ ବାପା ମାଆମାନେ ଅନେକ ସମୟରେ ପିଲାମାନଙ୍କୁ କମ୍ ଖାଦ୍ୟ ଖାଇବାକୁ କହିଥାନ୍ତି ଏବଂ ଶରୀରର ମୋଟାପଣକୁ କମ୍ କରିବାକୁ ପ୍ରେସର ଦେଇଥାନ୍ତି । ଯାହାଦ୍ୱାରା ପିଲାମାନେ ମଧ୍ୟ ନିଜ ଶରୀରର ମୋଟାପଣକୁ ନେଇ ଦୁଃଖିତ ହୁଅନ୍ତି । ଏହି କ୍ଷେତ୍ରରେ ବାପା ମାଆମାନେ ମୋଟାପଣକୁ କମ୍ କରିବା ପାଇଁ ପିଲାମାନଙ୍କ ଉପରେ ପ୍ରେସର ଦେବା ପରିବର୍ତ୍ତେ ଏହାର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରିବା ଉଚିତ୍ । ତାଙ୍କର ନୀତିଦିନର ଖାଦ୍ୟକୁ କମ୍ କରିବା ପରିବର୍ତ୍ତେ ନିୟମିତ ଭାବେ ଖାଦ୍ୟ ଖୁଆଇବା ଉଚିତ୍ ଏବଂ ଆପଣ ଆପଣଙ୍କ ପିଲାମାନଙ୍କୁ ଘରର ରନ୍ଧା ଖାଦ୍ୟ ଖାଇବା ପାଇଁ ଶିଖାନ୍ତୁ ଓ ତାଙ୍କ ମଧ୍ୟରେ ନିଜକୁ ନେଇ ଆତ୍ମବିଶ୍ୱାସ ସୃଷ୍ଟି କରିବାର ପ୍ରଚେଷ୍ଟା କରିବା ଉଚିତ୍ । ଏହାବ୍ୟତୀତ ଆପଣମାନେ ଯଦି କିଛି ଗ୍ରୋସାରୀ କିମ୍ବା ପନିପରିବା କିଣିବାକୁ ଯାଉଛନ୍ତି ତେବେ ଆପଣଙ୍କ ପିଲାମାନଙ୍କୁ ନିଜ ସାଥୀରେ ବଜାରକୁ ନେଇକି ଯାଆନ୍ତୁ...ଯଦ୍ୱାରା ସେମାନେ ନିଜ ମନ ପସନ୍ଦର ଖାଦ୍ୟ ଏବଂ ପନିପରିବା ଚୟନ କରି ଆଣିବେ ଏବଂ ଖୁସିରେ ଖାଇବେ । ଏପରି କରିବା ଦ୍ୱାରା ପିଲାମାନଙ୍କ ଖାଦ୍ୟଶୈଳୀ ଏବଂ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ ।</h3>