ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ଥିବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସହ କିଛି କର୍ମଚାରୀ ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ତେବେ କେଉଁ 13 ଜଣଙ୍କର ମୃତ୍ୟୁ ହୋଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ । ମୃତକଙ୍କ ଡିଏନ ଟେଷ୍ଟ ହେବ ବୋଲି ଜଣାପଡିଛି । ମୃତକଙ୍କ ଶରୀର ପ୍ରାୟ 80% ଜଳିଯାଇଥିବା ଦେଖିବାକୁ ମିଳିଛି । ଏହି ଆର୍ମି ହେଲିକ୍ୟାପ୍ଟରରେ ଦୁଇ ପାଇଲଟଙ୍କ ସହ ୧୪ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଭାରତୀୟ ବାୟୁ ସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରିବା ପାଇଁ ଆଦେଶ ଦିଆଯାଇଛି । ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୱିଲିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ । ତାଙ୍କ ସହ ପତ୍ନୀ ମଧୁଲିକା ରାୱତ, ତାଙ୍କ ସୁରକ୍ଷା ପାଇଁ ନିୟୋଜିତ 5 କମାଣ୍ଡୋ, ଜଣେ ବ୍ରିଗେଡିୟର ଏବଂ ଜଣେ ଲେଫ୍ଟନେଣ୍ଟ କର୍ନେଲ ବି ହେଲିକପ୍ଟରରେ ଥିଲେ । ସିଡିଏସ କୁନ୍ନୁରରେ ପହଂଚିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥାନ୍ତେ । ଭାରତୀୟ ବାୟୁ ସେନାର ଏହି ହେଲିକପ୍ଟର ହେଉଛି MI-17V5 । ଏହାକୁ ଭିଆଇପି ଚପ୍ପର ବୋଲି ମଧ୍ୟ କୁହାଯାଏ ।