କରୋନାର ଏକ ନୂଆ ଭାରିଏଣ୍ଟ ଓମିକନ୍କୁ ନେଇ ଚିନ୍ତା ପ୍ରକଟ କରିଛି ଗୃହ ମନ୍ତ୍ରଣାଳୟ । ଓମିକ୍ରନ୍ର ସମ୍ଭାବ୍ୟ ବିପଦକୁ ଦେଖି ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରୀ ବା ଆଦେଶପତ୍ର ଜାରି କରିଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ଯେମିତି ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା କୌଣସି ବି ବ୍ୟକ୍ତି ଯାଞ୍ଚରୁ ନ ବର୍ତ୍ତନ୍ତି । ବିଦେଶ ଫେରନ୍ତା ଯାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଦୃଢ଼ ଭାବେ କରାଯିବାକୁ ଗୃହ ମନ୍ତ୍ରଣାଳୟ ତାଙ୍କ ଆଦେଶରେ କହିଛନ୍ତି । ଏହି ଆଦେଶପତ୍ର ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାପୂର୍ବରୁ ନଭେମ୍ବର ୨୫ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରିଥିଲା । କୋଭିଡ୍କୁ ନିୟନ୍ତ୍ରଣ କରିବା ପାଇଁ ଗାଇଡ୍ଲାଇନ୍ ମାନିବା କ୍ଷେତ୍ରରେ ସବୁ ରାଜ୍ୟ ସରକାର ଶକ୍ତ ନୀତି ପ୍ରତିପୋଷଣ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡୱା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଭାରତରେ ଓମିକ୍ରନ୍ର ଗୋଟିଏ ବି ମାମଲା ସାମ୍ନାକୁ ଆସି ନାହିଁ । ଏହି ଗମ୍ଭୀର ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୈଠକ କରିଥିଲେ ।
ନିକଟରେ କର୍ଣ୍ଣାଟକ ବାଙ୍ଗଲୋର ୨ ଜଣ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ସେମାନେ ୨ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଜଣ ସାମ୍ପଲରେ ଡେଲଟା ଭାରିଏଣ୍ଟ ମିଳିଥିବାବେଳେ ଅନ୍ୟ ଜଣଙ୍କ ସାମ୍ପଲରେ ଏକ ଭିନ୍ନ ପ୍ରକାର ଭାରିଏଣ୍ଟ ଥିବା ସୂଚନା ମିଳିଛି । ଫଳରେ ଏହି ଅଲଗା ପ୍ରକାର ଭାରିଏଣ୍ଟ ଓମିକ୍ରନ୍ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ସରକାର ଲଗାତାର କେନ୍ଦ୍ର ସରକାର ଏବଂ ଆଇସିଏମ୍ଆର ସହିତ ସମ୍ପର୍କରେ ଅଛନ୍ତି ।
କୋଭିଡ୍-୧୯ର ଏହି ନୂଆ ଭାରିଏଣ୍ଟ ଓମିକ୍ରନ୍ର ଚିହ୍ନଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହୋଇଥିଲା । ଏବେ ପର୍ଯ୍ୟନ୍ତ ପ୍ରାୟ ୧୭ଟି ଦେଶରେ ଏହା ବ୍ୟାପି ସାରିଲାଣି । କେତେକ ଦେଶ ଦକ୍ଷିଣ ଆଫ୍ରିକା ବିମାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ।