ଆଦିମ ବଣ୍ଡାଘାଟିର ସୀତାକୁଣ୍ଡରୁ ରାମ ଜନ୍ମଭୂମି ଅଯୋଧ୍ୟାକୁ ଗଲା ପାଣି | ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବଣ୍ତାଘାଟିର ସୀତାକୁଣ୍ତରୁ ସଂଗ୍ରହ କରିଛନ୍ତି ପବିତ୍ର ଜଳ | ମହାମହିମ ରାଜ୍ୟପାଳ ମାଲକାନଗିରି ଜିଲା ବଣ୍ତାଘାଟି ଗସ୍ତରେ ଆସି ପୂଜାର୍ଚ୍ଚନା କରି ସୀତାକୁଣ୍ଡରୁ ଯୋଗ ଜଳ ସଂଗ୍ରହ କରିଥିଲେ | ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ ଏହି ଦିବ୍ୟ ଜଳ ଅର୍ପଣ କରାଯିବ ।
କଡା ସୁରକ୍ଷା ବଳୟରେ ମହାମହିମ ଗଣେଶୀଲାଲ ବଣ୍ତାଘାଟିରେ ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ । ବଣ୍ତା ନୃତ୍ୟୁର ତାଳେ ତାଳେ ରାଜ୍ୟପାଳଙ୍କୁ ପାଛୋଟି ଆଣିଥିଲେ ବଣ୍ତା ବାସିନ୍ଦା । ପରେ ସେ ମୁଦୁଲିପଡା ସ୍ଥିତ ସୀତାକୁଣ୍ତରୁ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପାଣି ସଂଗ୍ରହ କରିଥିଲେ ।
ଆଜିର ରାଷ୍ଟ୍ରୀୟ କବି ସମ୍ମିଳନୀ ତରଫରୁ ଆୟୋଜିତ ଶୁଭ ପାଣି ଉଠା ସଭାରେ ସାମିଲ ହୋଇଥିଲେ ରାଜ୍ୟପାଳ ।ରାମ ରାଜ୍ୟ ଶାସନ ସମୟରୁ ଆଜି ପର୍ଯ୍ୟନ୍ତ ଏହି ପୁରାତନ ଜନଜାତିର ଲୋକଙ୍କର ପ୍ରତିଷ୍ଠା ରହିଆସିଛି। ତାଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟପାଳ |
ସୂଚନାଯୋଗ୍ୟ ଯେ , ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସବୁ ପୌରାଣିକ ସ୍ଥାନରେ ଅବସ୍ଥାପନ କରିଥିଲେ, ସେହି ସବୁ ସ୍ଥାନରୁ ପାଣି ସଂଗ୍ରହ କରାଯାଉଛି । ତେବେ ଓଡ଼ିଶାର ଏକମାତ୍ର ପୌରାଣିକ ସ୍ଥଳୀ ଭାବେ ସୀତାକୁଣ୍ଡରୁ ପାଣି ନିଆଯାଇଛି ।