ଆମ ଜାତୀୟ ପତାକା ଆମ ଦେଶର ଗୌରବ | ଜାତୀୟ ପତାକାକୁ ସମ୍ମାନ ଜଣାଇବା ସମସ୍ତ ଭାରତୀୟଙ୍କ କର୍ତ୍ତବ୍ୟ | କିନ୍ତୁ ଆପଣଙ୍କ ମନକୁ କେବେ ଆସିଛି କି ଜାତୀୟ ପତାକାକୁ କିଏ ତିଆରି କରିଥିଲେ | ଆମେ ଆପଣଙ୍କୁ ଜଣାଇଦେଉଛୁ କି ଆମ ଜାତୀୟ ପତାକାକୁ ଡିଜାଇନ କରିଥିଲେ ପିଙ୍ଗାଲି ଭେଙ୍କେୟା । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
୧୪୨ ବର୍ଷ ପୂର୍ବର କଥା | ୧୮୭୬ ଅଗଷ୍ଟ ୨ ତାରିଖରେ ଆନ୍ଧ୍ରପ୍ରଦେଶର ମଛଲିପଟନମ ନିକଟବର୍ତ୍ତି ଏକ ଗାଁରେ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମ । ସେ ୧୯ ବର୍ଷ ବୟସରେ ବ୍ରିଟିସ ଆର୍ମିରେ ଯୋଗ ଦେଇ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ବ୍ରିଟିସ ଆର୍ମିିରେ ଥିବାବେଳେ ଏକ ଯୁଦ୍ଧରେ ତାଙ୍କର ମହାତ୍ମା ଗାନ୍ଧୀଙ୍କ ସହ ଭେଟ ହୋଇଥିଲା । ଗାନ୍ଧୀଙ୍କ ସହ ଦେଖା ହେବା ପରେ ତାଙ୍କ ମନରେ ଦେଶ ପ୍ରେମ ଜାଗି ଉଠିଥିଲା । ପରେ ସେ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ସ୍ୱାଧିନତା ସଂଗ୍ରାମୀ ଭାବେ ଯୋଗ ଦେଇଥିଲେ ।
ଜାତୀୟ ପତାକା ତିଆରି ପାଇଁ ୧୯୨୧ରେ ପ୍ରଥମ ଥର ଦିଆଯାଇଥିଲା ଡିଜାଇନ : 5 ବର୍ଷ ଯାଏ ଭେଙ୍କେୟା ପ୍ରାୟ ୩୦ ଦେଶର ପତାକା ବିଷୟରେ ଗମ୍ଭୀରତାର ସହ ରିସର୍ଚ୍ଚ କରିଥିଲେ | ପରେ ୧୯୨୧ରେ ପ୍ରଥମ ଥର ଭାରତୀୟ ପତାକାର ଡିଜାଇନକୁ ଭେଙ୍କେୟା ସମସ୍ତଙ୍କ ସମ୍ନାରେ ରଖିଥିଲେ । ସେହି ପତାକାରେ ପ୍ରଥମେ ଦୁଇଟି ରଙ୍ଗ ଲାଲ ଏବଂ ସବୁଜ ରହିଥିଲା । ଏହି ଦୁଇଟି ରଙ୍ଗ ହିନ୍ଦୁ ଏବଂ ମୁସଲମାନଙ୍କୁ ସୂଚାଉଥିଲା । ପରେ ଅନ୍ୟ ଧର୍ମର ଲୋକମାନଙ୍କ ପାଇଁ ମହାତ୍ମା ଗାନ୍ଧୀ ମଝିରେ ଧଳା ରଙ୍ଗ ରଖିବା ପାଇଁ କହିଥିଲେ ଏବଂ ରାଷ୍ଟ୍ରୀୟ ପ୍ରଗତିର ପ୍ରତୀକ ଭାବେ ଚରଖକୁ ମଧ୍ୟ ପତାକା ମଧ୍ୟରେ ସ୍ଥାନ ଦେଇଥିଲେ । ପରେ ଏହି ପତାକାରେ ଥିବା ଲାଲ ରଙ୍ଗକୁ ବଦାଳାଇ ନାରଙ୍ଗି ରଙ୍ଗ କରିଦିଆଗଲା ଓ ତ୍ରିରଙ୍ଗା ମଝିରେ ଦିଆଯାଇଥିବା ଚରଖ ଚିତ୍ରକୁ ସଂଶୋଧନ କରାଯାଇ ଅଶୋକ ସ୍ତମ୍ଭର ଚକ୍ରକୁ ରଖାଗଲା । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ସମ୍ବିଧାନ ଏହାକୁ ରାଷ୍ଟ୍ରୀୟ ଧ୍ୱଜାର ଅଧିକାର ଦେଇଥିଲା।
ଦେଶ ସ୍ୱାଧୀନ ହେବା ପରେ ଭାରତର ଆନ-ବାନ-ସାନର ପ୍ରତୀକ ବନିପାରିଥିଲା ଏହି ତ୍ରିରଙ୍ଗା ପତାକା । ଏତେ ବଡ ମହାନ କାମ କରିବା ସତ୍ୱେ ବି ଭେଙ୍କେୟାଙ୍କ ଜୀବନ ଅଭାବ ଅନାଟନରେ କଟିଥିଲା । ୧୯୬୩ରେ ବିଜୟଓ୍ଵାଡାର ଏକ କୁଡିଆରେ ତାଙ୍କ ଦେହାନ୍ତ ହୋଇଥିଲା । ୨୦୦୯ରେ ତାଙ୍କ ଉପରେ ଏକ ଡାକ ଟିକେଟ ଜାରି ହେଲା । ପରେ ଗତ ବର୍ଷ ଜାନୁଆରୀ ମାସରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜୟଓ୍ଵାଡାର ଅଲ ଇଣ୍ଡିଆ ରେଡିଓ ବିଲ୍ଡିଙ୍ଗରେ ଭେଙ୍କେୟାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ।