ସନାତନ ଧର୍ମରେ ଭଗବାନ ଶିବଙ୍କୁ ବହୁତ ମାନ୍ୟତା ଦିଆଯାଇଛି । ଭାରତ ବର୍ଷରେ ଶିବଙ୍କ ମନ୍ଦିର ସବୁ ସ୍ଥାନରେ ରହିଛି । ତେବେ ଭଗବାନ ଶିବଙ୍କ ନିବାସ ସ୍ଥଳ କୈଳାସ ପର୍ବତ ବୋଲି କୁହାଯିବା ସହ ଉତ୍ତରାଖଣ୍ଡକୁ ଦେବଭୂମିର ମାନ୍ୟତା ଦିଆଯାଇଛି । ତେବେ ଆଜି ଆପଣଙ୍କୁ ଆମେ ଏମିତି ମନ୍ଦିର ସମ୍ପକ ର୍ରେ କହିବୁ ଯାହାର ବର୍ଣ୍ଣନା ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଏଠାରେ ଏମିତି ଏକ ଝରଣା ରହିଛି ଯେଉଁଠି ଖୋଦ ମହାଦେବ ଜଳାଭିଷେକ କରନ୍ତି । ଏହି ମନ୍ଦିର ନାମ ହେଉଛି ପୁଙ୍ଗେଶ୍ୱର ମହାଦେବ ମନ୍ଦିର । ଉତ୍ତରାଖଣ୍ଡ ପେଥୋରଗଡ଼ରେ ଏହା ଅବସ୍ଥିତ । ଏଠାରେ ଶିବ ଲିଙ୍ଗ ଗୁଆ ରୂପରେ ବିରାଜମାନ କରିଛନ୍ତି ।
ଯୁଗେଶ୍ୱର ମନ୍ଦିରର ଇତିହାସ :
ଏହି ଶିବ ମନ୍ଦିରର ନିର୍ମାଣ କତ୍ୟୁରୀ ରାଜ ଶାସନ ମଧ୍ୟରେ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ମନ୍ଦିରରେ ଦର୍ଶନ ପରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଥାଏ ।
ମାନ୍ୟତା ରହିଛି ଯେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ପରେ ଏହି ମାର୍ଗ ଦେଇ କୈଳାସ ଯିବା ବାଟରେ ଏହିଠାରେ ବିଶ୍ରାମ ନେଇଥିଲେ । ସେହି ସମୟରେ ପ୍ରଭୁଙ୍କ ସୁପାରି ବା ଗୁଆ ଏଠାରେ ଖସିଥିଲା । ଯେଉଁ ସ୍ଥାନରେ ଗୁଆ ଖସିଥିଲା ସେଠାରେ ଭଗବାନ ଶିବ ସୁପାରି ରୂପରେ ବିରାଜମାନ କରିଛନ୍ତି । ପୁଙ୍ଗି ନାମରେ ବିଖ୍ୟାତ ଏହି ସ୍ଥାନ ଯୋଗୁ ଭଗବାନ ଶିବ ଏଠାରେ ପୁଙ୍ଗୀଶ୍ୱର ମହାଦେବ ଭାବରେ ମାନ୍ୟତା ପାଇଛନ୍ତି ।
ସ୍କନ୍ଧ ପୁରାଣ ମାନସ ଖଣ୍ଡରେ ଏହି ମନ୍ଦିରର ନାମ ‘ପୁଙ୍ଗୀଶ୍ୱର ମନ୍ଦିର ’ ଭାବରେ ମାନ୍ୟତା ପାଇଛି । ଏହି ମନ୍ଦିରର ଉତ୍ତରରେ ଥିବା ଝରଣା ଦେଇ ଗିରିଗଙ୍ଗା ନଦୀ ବହି ଯାଉଛି । ଏହି ଝରଣା ଜଳରେ ଭଗବାନ ଶିବ ଜଳାଭିଷେକ କରନ୍ତି । ଏଠାରେ ଥିବା ‘ଲୁମ୍ବକା’ ନାମକ ବିଶାଳ ଗୁମ୍ଫାରେ ମହାଦେବ କିଛି ବର୍ଷ ଧରି ତପସ୍ୟା କରିଥିଲେ । ପ୍ରାକୃତିକ ପରିବେଶରେ ପୂର୍ଣ୍ଣ ଏହି ସ୍ଥାନକୁ ଭାରତର ସବୁ କୋଣରୁ ପର୍ୟ୍ୟଟକମାନେ ଦର୍ଶନ ପାଇଁ ଆସିଥାନ୍ତି ।