ମହାନଦୀ ରେ ଆସିପାରେ ବନ୍ୟା ।ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ହୀରାକୁଦର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଖୋଲାଯାଇ ପାଣି ନିଷ୍କାସନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ SRC ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ହୀରାକୁଦଠାରେ ୨୮ଟି ଗେଟ ଖୋଲାଯାଇଛି । ଜଳ ଭଣ୍ଡାରକୁ ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମପରିମାଣର ଜଳ ମଧ୍ୟ ନିଷ୍କାସିତ ହେଉଛି ।
ପରିସ୍ଥିତିର ସମୀକ୍ଷା କରି ପ୍ରଶାସନ ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମ୍ ମୁତୟନ କରାଯିବା ସହିତ ବ୍ୟାପକ ପ୍ରସ୍ତୁତି କରାଯାଇଛି।