ପାକିସ୍ତାନରେ ପୁଣି ଥରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନରେ ହିନ୍ଦୁ ମନ୍ଦିରକୁ ବାରମ୍ବାର ଟାର୍ଗେଟ କରାଯାଉଛି। ଏଠାରେ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରି ଦେବୀଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି | ଉକ୍ତ ବ୍ୟକ୍ତି ଜଣକ ଏକ ହାତୁଡ଼ି ସାହାଯ୍ୟରେ ଦେବୀଙ୍କ ପ୍ରତିମାକୁ ପିଟି ପିଟି ଭାଙ୍ଗି ଦେଇଛନ୍ତି | ପାକିସ୍ତାନୀ ସାମ୍ବାଦିକ ବିନଗାସଙ୍କ ଅନୁଯାୟୀ, ଗତ 22 ମାସ ମଧ୍ୟରେ ହିନ୍ଦୁ ମନ୍ଦିର ଉପରେ 9 ଥର ଆକ୍ରମଣ ହେଲାଣି ।
ଏହି ଘଟଣା ପାକିସ୍ତାନର କରାଚିରେ ଘଟିଛି। ରାଞ୍ଚୋରେ ଅଞ୍ଚଳରେ ଥିବା ଯୋଗମାୟାଙ୍କ ମନ୍ଦିର ଉପରେ ଏଭଳି ଆକ୍ରମଣ ହୋଇଛି। ହାତୁଡ଼ି ସାହାଯ୍ୟରେ ଦେବୀଙ୍କ ପ୍ରତିମାକୁ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ହିଂସାକାଣ୍ଡ ଘଟାଇବା ଅପରାଧରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାକୁ ଭାରତୀୟ ଜନତା ପାର୍ଟି ନେତା ମଞ୍ଜିନ୍ଦର ସିଂ ସିର୍ସା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହେଉଥିବା ଆକ୍ରମଣ ପଛରେ ପାକିସ୍ତାନ ସରକାରଙ୍କ ସମର୍ଥନ ରହିଛି।
ସୂଚନା ଥାଉକି, ଏହା ପୂର୍ବରୁ ଅକ୍ଟୋବର ମାସରେ ପାକିସ୍ତାନର ସିନ୍ଧ ଅଞ୍ଚଳରେ ଏକ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀମାନେ ମନ୍ଦିରରେ ରଖାଯାଇଥିବା ଟଙ୍କା ଏବଂ ଅଳଙ୍କାର ମଧ୍ୟ ଚୋରି କରିଥିଲେ। ଗତ କିଛି ବର୍ଷ ହେଲା ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବୃଦ୍ଧି ପାଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ସେମାନଙ୍କ ପୂଜାସ୍ଥଳ ଉପରେ ଆକ୍ରମଣ ମାମଲାକୁ ନେଇ ଆନ୍ତର୍ଜାତୀୟ ସମ୍ପ୍ରଦାୟ ବହୁତ ଥର ପାକିସ୍ତାନକୁ ତାଗିଦ କରିଥିଲେ ମଧ୍ୟ ପାକିସ୍ତାନ ଏବଂ ଏହାର କଠୋରପନ୍ଥୀମାନେ ଏଥିରୁ ନିବୃତ୍ତ ରହୁନାହାନ୍ତି ।