ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅତିଶୟ ବର୍ଷାର ପ୍ରଭାବରେ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାର ରାସ୍ତାଘାଟ କୃତ୍ରିମ ନଦୀରେ ପରିଣତ ହୋଇଯାଇଥିବା ଦେଖିବାକୁ ମିଳିଛି । ବନ୍ୟା ଜଳର ପ୍ରଭାବରେ ଭାଗସୁନାଗ ଅଞ୍ଚଳରେ ଅଧିକାଂଶ କ୍ଷୟକ୍ଷତି ଘଟିବା ସହିତ ପାଣିର ସୁଅ ଅନେକ ଘର ଏବଂ ଯାନବାହନକୁ ଭସାଇ ନେଇଛି । ବିଶେଷ କରି ପାହାଡିଆ ଅଂଚଳରେ ବନ୍ୟାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । । ଭୁସ୍ଖଳନ ଯୋଗୁଁ ବସ ଗୁଡିକ ରାଜପଥରେ ଅଟକି ରହିଛି । ପରିସ୍ଥିତିକୁ ଦେଖି ହିମାଚଳ ପ୍ରଦେଶ ର ପ୍ରଶାସନ ପକ୍ଷରୁ ନଦୀ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ଆଲର୍ଟ ଜାରି କରା ଯିବା ସହିତ ବସ୍ତି ଏବଂ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ବନ୍ୟା ସମୟର ଅନେକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଏନଡିଆରଏଫ ଟିମ ବନ୍ୟା ପ୍ରଭାବିତ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କାଙ୍ଗ୍ରାଠାରେ ପ୍ରାୟ ୧୫୫ ମିମି ବର୍ଷା ହୋଇଛି ।
ଏନେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏପଟେ ଜମ୍ମୁ- କାଶ୍ମୀର ଗାନ୍ଦରବଳରେ ରବିବାର ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆରମ୍ଭ ହୋଇଛି। ଦୀର୍ଘ ୩୨ ବର୍ଷ ପରେ ଜମ୍ମୁ ରେ ଏପରି ବର୍ଷା ଦେଖିବାକୁ ମିଳିଥିବା କୁହାଯାଉଛି । ତେଣୁ ସ୍ଥାନୀୟ ଏବଂ ପର୍ଯ୍ୟଟକ ମାନଙ୍କୁ ନଦୀ ତଟବର୍ତ୍ତୀ ଅଞ୍ଚଳକୁ ନଆସିବା ପାଇଁ ଅପିଲ କରାଯାଉଛି । ଉତ୍ତରାଖଣ୍ଡରେ ମଧ୍ୟ ୨୪ ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ଭୂସ୍ଖଳନ ହୋଇ ଚାମୋଲି ନିକଟସ୍ଥ ରୁଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ହୋଇ ଯାଇଛି। ଏଥି ସହିତ ରାଜସ୍ଥାନ, ପଞ୍ଜାବ, ହରିଆଣା, ମଧ୍ୟପ୍ରଦେଶ ଏବଂ ବିହାର ରେ ଲଗାତାର ପ୍ରବଳ ବର୍ଷା ଲାଗିରହିଛି । ଅନେକ ସ୍ଥାନରେ ଏଲ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଆସନ୍ତା ୧୭ ତାରିଖରେ ଆହୁରି ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । #himachal #HimachalNews #himachalpradesh #flood #AmitShah #JairamThakur