ବଢୁଛି ତାତି | ତା ସହିତ ବଢୁଛି ଗୁଳୁଗୁଳି | ଅସହ୍ୟ ଗରମରେ ଲୋକେ ହେଉଛନ୍ତି କଲବଲ | ବଲାଙ୍ଗୀର ଜିଲ୍ଲାରେ ପାରଦ ୪୦ ପରେ ରହୁଛି | ତେବେ ପ୍ରବଳ ଗରମ ଯୋଗୁ ଜିଲ୍ଲାରେ ବଢୁଛି ମାଟି ପାତ୍ରର ଚାହିଦା | ରାସ୍ତାକଡ଼ରେ ଜମୁଛି ମାଟି ତିଆରି ବିଭିନ୍ନ ସାମଗ୍ରୀର ବେପାର | ଏବେ ମାଟି ତିଆରି ପାଣି ବୋତଲର ବେଶ ଚାହିଦା ରହିଛି | ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଏବଂ ଦୀର୍ଘ ସମୟ ଧରି ପାଣିକୁ ଥଣ୍ଡା ରଖିବା ପାଇଁ ଏବେ ସମସ୍ତଙ୍କ ପ୍ରିୟ ମାଟିରେ ତିଆରି ପାଣି ବୋତଲ | ରାସ୍ତାରେ ଯିଏ ଯାଉଛି, ଘଡ଼ିଏ ଅଟକି ଯାହା କିଣୁ କି ନ କିଣୁ ମାଟିରେ ତିଆରି ପାଣି ବୋତଲଟିଏ ନିଶ୍ଚିତ କିଣୁଥିବା ଦେଖିବାକୁ ମିଳୁଛି |
ବଲାଙ୍ଗୀର ସହରର ରାସ୍ତା କଡରେ ମାଟିରେ ତିଆରି ମାଠିଆ, ହାଣ୍ଡି, ପ୍ରେସର୍ କୁକର୍, କଢ଼େଇକୁ ମଧ୍ୟ ଗ୍ରାହକମାନେ କିଣି ନେଉଥିବା ଦେଖିବାକୁ ମିଳିଛି | ଏହି ଅବସରରେ ଆମର ପ୍ରତିନିଧି ମାଟିର ସାମଗ୍ରୀ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ଶ୍ୟାସୁନ୍ଦର ରଣାଙ୍କୁ ଭେଟିଥିଲେ।
ତାଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ମାଟି ତିଆରି ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଛି । ବିଶେଷକରି ମାଟିରେ ତିଆରି ପାଣି ବୋତଲ, ପ୍ରେସର୍ କୁକର୍ ଏବଂ ଟ୍ୟାପ ଲାଗିଥିବା ମାଠିଆର ବହୁତ ଚାହିଦା ରହିଛି | ଏଥିରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ଦେହ ପକ୍ଷେ ସ୍ୱାସ୍ଥ୍ୟକର ଓ ଶରୀରକୁ ନିରୋଗ ରଖିଥାଏ ବୋଲି ଜଣେ ଗ୍ରାହକ କହିଛନ୍ତି। ବଲାଙ୍ଗୀର ବ୍ୟବସାୟୀମାନେ ଏହାକୁ ଜିଲ୍ଲା ଓ ରାଜ୍ୟ ବାହାରକୁ ନେଇ ମଧ୍ୟ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ଯଦି ସରକାରଙ୍କ ତରଫରୁ କିଛି ଆର୍ଥିକ ସାହାଯ୍ୟ ମିଳେ ତେବେ ଜିଲ୍ଲା ଓ ରାଜ୍ୟ ବାହାରେ ଏହି ବ୍ୟବସାୟ କରି ଅଧିକ ଦୁଇ ପଇସା ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି ବ୍ୟବସାୟୀ ଶ୍ୟାମ ସୁନ୍ଦର ରଣା ।