ବ୍ରହ୍ମଗିରି(ଏନଏନଏସ୍): ବ୍ରହ୍ମଗିରି ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ୍ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆବେଦନକାରୀ ମଧୁସୂଦନ ପୂଜାପଣ୍ଡାଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ମହାପ୍ରଭୁ ଅଲାରାନାଥଙ୍କ ଦର୍ଶନ ପାଇଁ ବୟସ୍କ, ଶାରୀରିକ ଅକ୍ଷମ ଏବଂ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ବ୍ୟବସ୍ଥା କରିବା ସହ ପାର୍କିଂ ପ୍ଲେସ ଠାରୁ ମନ୍ଦିର ପର୍ୟ୍ୟନ୍ତ ବ୍ୟାଟେରୀ ଗାଡିର ସୁବିଧା କରିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
ମନ୍ଦିର ମଧ୍ୟରେ ଭିଡ କମାଇବା ପାଇଁ ପ୍ରସାଦ ବିକ୍ରୟ ଏବଂ ସେବନକୁ ନିୟନ୍ତ୍ରିତ କରିବା ଉପରେ କୋର୍ଟ ଗୁରୁତ୍ୱ ଦେବାକୁ କହିଛନ୍ତି। ବିଭିନ୍ନ ରୀତିନୀତିକୁ ଦୃଷ୍ଟିରେ ରଖି ଦର୍ଶନ ସମୟ ଏବଂ ମନ୍ଦିର ବନ୍ଦ ହେବା ସମୟ ବାବଦରେ ବିଭିନ୍ନ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଦୈନନ୍ଦିନ ସୂଚନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସେହିଭଳି କୌଣସି ସେବାୟତ ଯେପରି ଭକ୍ତ ମାନଙ୍କୁ ଅର୍ଗଳୀ ଆଗକୁ ନେଇ ଦର୍ଶନ ନକରାନ୍ତି ତାହା ସୁନିଶ୍ଚିତ କରିବାକୁ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କ ଉପରେ ନଜର ରଖିବା ପାଇଁ ପର୍ୟ୍ୟାପ୍ତ ସିସିଟିଭି ବ୍ୟବସ୍ଥା କରିବା ସହ ପ୍ରବେଶ ପଥରେ ଥିବା ପଙ୍ଖା ଗୁଡିକୁ କାର୍ୟ୍ୟକ୍ଷମ କରିବାକୁ କୋର୍ଟ କହିଛନ୍ତି।