ଏନଏନଏସ୍: ଯମୁନା ପାଣିରେ ଉବୁଟୁବୁ ଦିଲ୍ଲୀ । ପ୍ରତି ଘଣ୍ଟାରେ ବିଗୁଡୁଛି ରାଜଧାନୀ ଦିଲ୍ଲୀର ସ୍ଥିତି । ଏବେ ବି କାଶ୍ମିରୀ ଗେଟ୍, ମଜନୁ କାଟିଲା, ସିଗନେଚର୍ ବ୍ରିଜ୍, ବସ୍ ଟର୍ମିନାଲ୍ ଭଳି ପୁରୁଣା ଦିଲ୍ଲୀର ଅନେକ ଇଲାକା ପାଣି ଘେରରେ। ପରିସ୍ଥିତି ଏମିତି ହୋଇଛି କି ଲୋକେ ଡଙ୍ଗାରେ ଯା’ ଆସ କରୁଛନ୍ତି । ଦିଲ୍ଲୀରେ ଗତ ତିନି ଦିନ ଧରି ବର୍ଷା ହୋଇନି କିନ୍ତୁ ଉପର ମୁଣ୍ଡରୁ ଆସୁଥିବା ପାଣି ଯମୁନାର ଜଳସ୍ତରକୁ ଅଧିକ ବଢ଼ାଇଛି । ତାସହ ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ସମସ୍ୟା ସ୍ଥିତିକୁ ସଙ୍ଗୀନ କରିବାରେ ଲାଗିଛି ।
ଏବେ ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପଶିଥିବା ଦେଖିବାକୁ ମିଳିଛି । ଯାହାଫଳରେ ରାଜଧାନୀର ସ୍ଥିତି ବିଗିଡ଼ିବାରେ ଲାଗିଛି । ଘର ଦ୍ୱାର, ଜାତୀୟ ରାଜପଥ, ମେଡିକାଲ, ସଚିବାଳୟ, ଏପରିକି ଲାଲକିଲ୍ଲାରେ ମଧ୍ୟ ବନ୍ୟା ପାଣି ପଶିଛି । ଅନ୍ୟପଟେ ବିପଦସଙ୍କୁଳ ଅବସ୍ଥାରୁ ଲୋକଙ୍କୁ ଉଦ୍ଧାର ପାଇଁ ନିୟୋଜିତ ହୋଇଛି ୧୨ରୁ ଅଧିକ NDRF ଟିମ୍ ।