ଆକାଶରୁ ବର୍ଷୁଛି ନିଆଁ । ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । କଲବଲ କରୁଛି ଗୁଳୁଗୁଳି । ସକାଳ ୧୦ଟା ପରେ ଘରକୁ ବାହାରିବା ଏକପ୍ରକାର ହୋଇପଡୁଛି ମୁସ୍କିଲ । ଟାଣ ଖରା ଯୋଗୁ କେବଳ ମଣିଷ ନୁହନ୍ତି ପଶୁପକ୍ଷୀମାନେ ମଧ୍ୟ ଛଟପଟ ହୋଇପଡୁଛନ୍ତି । ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଥିବା ବେଳେ କଟକରେ ୪୦.୫ ରେକର୍ଡ କରାଯାଇଛି । ୪୩.୭ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । ବଲାଙ୍ଗୀରରେ ତାପମାତ୍ରା ୪୩.୨, ଥିବା ବେଳେ ବାରିପଦା, ଢେଙ୍କାନାଳ ଓ ବୌଦ୍ଧରେ ୪୨ ଡିଗ୍ରୀ ରହିଛି । ଆଗକୁ ସ୍ୱାଭାବିକଠାରୁ ଆହୁରି ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ଆସନ୍ତା ୨୧ ଓ ୨୨ ତାରିଖରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ସମେତ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୨ତାରିଖ ଦିନ ସମଗ୍ର ଉପକୂଳ ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଫଳରେ ଉପକୂଳ ଓଡ଼ିଶାବାସୀ ସାମାନ୍ୟ ଆଶ୍ୱସ୍ତ ହେବେ ବୋଲି ଜଣାଯାଇଛି ।