ବଢୁଛି ତାପମାତ୍ରା | ଅଥୟ କରୁଛି ତାତି | ଜଳୁଛି ସାରା ଓଡିଶା | ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ | ଦିନର ସବୋର୍ଚ୍ଚ ତାପମାତ୍ରା ପାଖାପାଖି ୨ରୁ ୩ଡିଗ୍ରୀ ବଢ଼ିବା ସହ କିଛି ସ୍ଥାନରେ ୪୧ ଡିଗ୍ରୀ ଅତିକ୍ରମ କରିଛି । ୪୦ ଡିଗ୍ରୀ ଉପରେ ରାଜ୍ୟର ୮ ସହର । ୪୨.୭ ଡିଗ୍ରୀ ସହ ଟିଟିଲାଗଡ଼ ପାଲଟିଛି ତତଲାଗଡ଼ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |
ଫଳରେ ଦିନ ୯ଟା ହୋଇଗଲେ ବାହାରକୁ ବାହାରିବା ହୋଇପଡୁଛି ମୁସ୍କିଲ । ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ଉପକୂଳ ଓଡିଶାର କେତେକ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି | ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି। ବଲାଙ୍ଗୀରରେ ୪୧.୪, ସୋନପୁରରେ ୪୧.୩, ବୌଦ୍ଧ ଏବଂ ବାରିପଦାରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଛି । କଟକ ଓ ଭୁବନେଶ୍ୱରରେ ଦିନର ତାପମାତ୍ରା ୩୬.୫ ଡିଗ୍ରୀ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ ଆଜି ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି।