ମହାମାରୀ କରୋନାରୁ ସୁରକ୍ଷା ପାଇଁ ରାଜ୍ୟ ସରକାର ଟୀକାକରଣ ବ୍ୟବସ୍ଥା କରିଛନ୍ତି | ଯେମିତି କେହି ବି ଏହି ଟିକାକରଣରୁ ବାଦ ପଡିବେନି ସେଥିପାଇଁ ପ୍ରୟାସ କରାଯାଉଛି | ଗ୍ରାମାଞ୍ଚଳରେ ଗାଁ ଗାଁ ବୁଲି ଟୀକାକାରଣ କରିବା ପାଇଁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ | ରାଜ୍ୟ ସାରା ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସମସ୍ତଙ୍କୁ ଟୀକା ଦେଉଛନ୍ତି | କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି | ନାଉଗାଁ ବ୍ଲକ ଅଞ୍ଚଳରେ ଜଣେ ସ୍ୱାସ୍ଥ୍ୟକର୍ମୀ ଗାଡିରୁ ଓହ୍ଲାଇବାକୁ ନାରାଜ୍ | ଗାଡିରେ ବସି ଫୋଡ଼ି ଚାଲିଛନ୍ତି ଟୀକା | ଦିଦିଙ୍କ ଏହି ନିଆରା ଟିକା ଦେବା ବ୍ୟବସ୍ଥା ଭିଡ଼ିଓ ଏବେ ସ୍ଥାନୀୟ ଅଂଚଳରେ ଖୁବ ଭାଇରାଲ୍ ହେବାରେ ଲାଗିଛି | ମଙ୍ଗଳବାର ନାଉଗାଁ ବ୍ଲକ ବଛାଳ ଗ୍ରାମରେ ଟୀକାକରଣ କାର୍ଯ୍ୟକ୍ରମ କରାଯାଉଥିଲା | କିନ୍ତୁ ଦେଖନ୍ତୁ ଏହି ଦୃଶ୍ୟକୁ , ଟୀକା ଦାନ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଏହି କର୍ମଚାରୀ ଜଣଙ୍କ କିଭଳି ଏକ ଖାମଖିଆଲି ମନୋଭାବରେ ଦେଇ ଚାଲିଛନ୍ତି ଟୀକା | ଗାଡିର ସିଟରୁ ନ ଓହ୍ଲାଇ ଡୋରର କାଚ ବାଟେ ଦିଦି ଫୋଡ଼ି ଚାଲିଛନ୍ତି ଟୀକା | ଦିନ ତମାମ ଏହିଭଳି ଟୀକାଦାନକୁ ଦେଖି ଗାଁ ଲୋକ ବି ଆଶ୍ଚର୍ଯ୍ୟ | କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯଦି ଦିଦି ଜଣକ ଗାଡ଼ିରୁ ନ ଓଲ୍ହେଇବେ ତେବେ ଗାଁରେ ଥିବା ବୃଦ୍ଧବୃଦ୍ଧା ଏବଂ ଶଯ୍ୟାଶାୟୀ ରୋଗୀଙ୍କୁ କିପରି ଟୀକାଦାନ କରାଯିବ ? ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା କାରଣରୁ କଣ ସେମାନେ ଟୀକା ନେବାରୁ ବଂଚିତ ହେବେ ? କିଛି ସଚେତନ ଯୁବକ ଏହି ଭିଡିଓକୁ ରେକର୍ଡ କରି ଭାଇରାଲ୍ କଲାପରେ ଏହାକୁ ନେଇ ଏବେ ଜୋରଦାର ଚାଲିଛି ଚର୍ଚା |