ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଖଞ୍ଜି ଦେଇଛନ୍ତି ଯୋଜନା | ଗରିବ ଲୋକଙ୍କୁ ଉର୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କାର୍ଯ୍ୟକାରୀ କରିଛନ୍ତି ଅନେକ ସୁବିଧା | କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସେ ଯୋଜନା କାହା ପାଇଁ ? ପ୍ରକୃତ ଗରିବ ଲୋକ କଣ ଏହି ସବୁ ଯୋଜନାର ପାଉଛନ୍ତି ସୁଫଳ ? ସରକାର ହୁଅନ୍ତୁ କି ସ୍ବେଛାସେବୀ ଅନୁଷ୍ଠାନ ଦାନ କରନ୍ତି ଶବବୁହା ବା ମହାପ୍ରୟାଣ ଗାଡି | ସବୁ ସରକାରୀ ଡାକ୍ତରଖାନାରେ ରହିଛି ଏହି ଗାଡି | କିନ୍ତୁ ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନଥିବାରୁ କେଉଁଠି ଲୋକେ ଖଟିଆରେ ଶବକୁ ବୋହିକି ଆଣୁଛନ୍ତି ତ , ଆଉ କେଉଁଠି ସାଇକେଲରେ ଘୋଷାରି ଘୋଷାରି ଆଣୁଛନ୍ତି | ଆଜି ପୁଣି କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର | ମହାପ୍ରୟାଣ ଗାଡି ନମିଳିବାରୁ ବାଇକରେ ବୁହା ହେଲା ଶବ | କଳାହାଣ୍ଡି ଦାନ ମାଝି ଘଟଣା ମାନସପଟରୁ ଉଭେଇ ନଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି କରୁଣ ଦୃଶ୍ୟ |
ଜିଲ୍ଲାରେ ଡେରାବିଶ ଥାନା ଅଧୀନ ଛଞ୍ଚିଣା ଗ୍ରାମର ସୁନାକାର କାଣ୍ଡିଙ୍କ ୧୦ ବର୍ଷର ଝିଅ ବୈଶାଖୀ କାଣ୍ଡିଙ୍କୁ ଗତକାଲି ସକାଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା | ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ | ତେବେ ଚିକିତ୍ସାଧୀନ ଅବସ୍ଥାରେ ବୈଶାଖୀଙ୍କ ମୃତ୍ୟୁ ହୋଇଥିଲା | ତେବେ ମୃତଦେହକୁ ଘରକୁ ନେବାକୁ ମିଳିନଥିଲା ମହାପ୍ରୟାଣ ଗାଡି | ଫଳରେ ମୃତ ବୈଶାଖୀଙ୍କ ଦାଦା ଓ ଅନ୍ୟ ଜଣେ ସମ୍ପର୍କୀୟ ମୃତଦେହକୁ ବାଇକ ଯୋଗେ ଘରକୁ ନେଇଥିଲେ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଦୀର୍ଘ ୨୦ କିଲୋମିଟର ଦୂର ଡେରାବିଶ ଥାନା ଛଞ୍ଚିଣା ଗ୍ରାମକୁ ବାଇକ ଯୋଗେ ଶବ ବୋହି ନେବା ଘଟଣା ଜିଲ୍ଲା ସ୍ୱାସ୍ଥ୍ୟସେବା ପାରିବାପାଣିଆକୁ ପଦାରେ ପକାଉଛି | ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |