<h3>ନା ନିଜ କାମ କରିବାକୁ ଦୁଇ ହାତ ଅଛି ନା ରାସ୍ତାରେ ଭଲ ସେ ଚାଲିବାକୁ ଦୁଇ ଗୋଡ . ଜନ୍ମରୁ ଦିବ୍ୟାଙ୍ଗ ହେଲେ ବି ନିଜର ଇଚ୍ଛା ଶକ୍ତି ଆଗରେ ଦୁନିଆଁ ର ସବୁ ଶକ୍ତି ତାଙ୍କ ଆଗରେ ହାର ମାନିଛି । ନିଜର ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା ,ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ କିଛି କରିପାରିବାର ଦୃଢ଼ ମନୋବଳ ଯୋଗୁ ଆଜି ସେ ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖିବା ସହ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ସେ ହେଉଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଭରୁଆମୁଣ୍ଡା ଗ୍ରାମର ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡି । ଜନ୍ମରୁ ହାତ ଗୋଡ ନ ଥାଇ ମଧ୍ୟ ତାଙ୍କର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ଏହି କୃତିତ୍ୱ ଅର୍ଜନ କରି ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । କଥାରେ ଅଛି ଇଚ୍ଛାଶକ୍ତି ଥିଲେ ଯେ କୌଣସି ଅସାଧ୍ୟ କାମକୁ ସାଧ୍ୟ କରିହୁଏ ,ଏହି ଉକ୍ତିକୁ ମର୍ମେ ମର୍ମେ ପ୍ରମାଣିତ କରି ପାରିଛନ୍ତି ବରଗଡ଼ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଛାତ୍ର ଜଗନ୍ନାଥ ତାଣ୍ଡି । ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ଦିନ ମଜୁରିଆ କ୍ଷୀରୋଦ୍ର ତାଣ୍ଡି ଏବଂ ଜେମା ତାଣ୍ଡିଙ୍କ ପୁଅ ଜଗନ୍ନାଥ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସହ ତାଙ୍କ ଦୁଇ ହାତ ନ ଥିବା ସହ ଗୋଡ ଛୋଟ ଛୋଟ ହୋଇଯାଇଥିଲା । ଠିକ ଭାବରେ ସେ ଚାଲି ପାରୁ ନ ଥିବା ସହ ହାତ ନ ଥିବା ଯୋଗୁଁ ବାପା ମା ତାଙ୍କର ନାଁ ଦେଇଥିଲେ ଜଗନ୍ନାଥ । ଚଳିତ ମାଟ୍ରିକ୍ ପରୀକ୍ଷାରେ ତାଙ୍କର ସଫଳତା ଉତ୍ସାହର କାରଣ ପାଲଟିଯାଇଛି । ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଟ୍ରିକ ପରୀକ୍ଷାରେ ୪୪୭ ମାର୍କରେ ପାସ୍ କରି ବରଗଡ଼ ଜିଲ୍ଲା ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଜନ୍ମରୁ ଦୁଇହାତ ନାହିଁ କି ଗୋଡ଼ ନାହିଁ , ହେଲେ ଦିନ ମଜୁରିଆ ବାପା ପୁଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାରେ କୌଣସି ଊଣା କରି ନ ଥିଲେ । ଗୃହିଣୀ ମା ଜେମା ତାଣ୍ଡି ଘର କାମ ସହ ଦିବ୍ୟାଙ୍ଗ ପୁଅର ନିତ୍ୟକର୍ମ କରାଇ ସ୍କୁଲ ପଠାଇବା ସହ ସବୁ କାମରେ ସାଥ ଦେଇଛନ୍ତି । ପିତାମାତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜଗନ୍ନାଥ ମଧ୍ୟ ପାଠପଢ଼ାକୁ ପ୍ରାଥମିକତା ଦେଇଥିଲେ । ଯାହାକୁ ତାଙ୍କୁ ଆଜି ସଫଳତାର ସ୍ୱାଦ ଚଖାଇ ୭୪ ପ୍ରତିଶତ ମାର୍କରେ ଉତ୍ତୀର୍ଣ୍ଣ କରିବାରେ ସହାୟକ ହୋଇପାରି ଅନନ୍ୟ ଉଦାହରଣ ସାଜିଛନ୍ତି । ଭବିଷ୍ୟତରେ ଜଣେ ଶିକ୍ଷକ ହେବା ଲକ୍ଷ୍ୟ ରଖିଥିବା ଜଗନ୍ନାଥଙ୍କ ଏହି ସଫଳତାରେ ନେଇ ପରିବାର ସମେତ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।</h3> <h3>ଜଗନ୍ନାଥ ଯେତେବେଳେ ଜନ୍ମ ହୋଇଥିଲେ ବାପାମାଙ୍କୁ କେତେ କଥା ଶୁଣିବାକୁ ମିଳିଥିଲା । ଏପରିକି ହାତ ଗୋଡ଼ ନଥିବା ଶିଶୁ ସବୁଦିନ ବୋଝ ହୋଇ ରହିବ ବୋଲି ଲୋକେ କେତେ କଣ କହିଛନ୍ତି । ହେଲେ ମାଁର ହୃଦୟ କେବେ କଣ ନିଜ ସନ୍ତାନ କୁ ହତାଦର କରିପାରିବ । ଏହି ହାତ ଗୋଡ ନ ଥିବା ପୁଅ ଦିନେ ବାପା ମାଙ୍କ ନାଆଁ ରଖିବ ଏହି ଆଶାରେ ପୁଅକୁ ପାଠ ପଢ଼ାଇଲେ । ପ୍ରଥମେ ଗାଁ ସ୍କୁଲ ରେ ପାଠ ପଢିବା ପରେ ହାଇସ୍କୁଲ ପାଇଁ ତିନି କିଲୋମିଟର ଜାମସେଠ ଯିବାକୁ ପଡ଼ିଥିଲା । ଏଥିପାଇଁ ବାପା ମାଙ୍କୁ ନେବା ଆଣିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ତେବେ ଜଗନ୍ନାଥ ମଧ୍ୟ ବାପା ମା ଙ୍କ କଷ୍ଟକୁ ଦେଖି ଦୃଢ଼ ନିଷ୍ପତ୍ତି ନେଇଥିଲେ କିଛି କରି ଦେଖାଇବେ । ଆଉ ତାଙ୍କର ଏହି ଦୃଢ଼ ଇଚ୍ଛାଶକ୍ତି ସଫଳତାର ସିଢି ଚଢ଼ିବାରେ ସହାୟକ ହୋଇଛି ।</h3> <h3>ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ଖଣ୍ଡିଆ ହାତ ଗୋଡରେ ଲେଖିବା ପଢିବା ସହ ମୋବାଇଲ ଚଳାଇବା ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟ କରି ପାରୁଛନ୍ତି ଜଗନ୍ନାଥ । ଯଦି ଆଗକୁ ଜଗନ୍ନାଥଙ୍କୁ ସରକାରୀ ସହାୟତା ମିଳି ପାରନ୍ତା ତାହେଲେ ସେ ତାଙ୍କ ସ୍ୱପ୍ନ ପୁରଣ କରିପାରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । କଠିନ ପରିଶ୍ରମ ଓ ଦୃଢ ମନୋବଳ ଆଗରେ ଅସଫଳା ହାର ମାନେ , ଯାହାକି ଜଗନ୍ନାଥ ପ୍ରମାଣିତ କରି ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତିି ।</h3> https://youtu.be/xlUy_UXE9ls <h3></h3>