ଜ୍ଞାନବାପୀ ପରେ ଏବେ ମଥୁରା ମସଜିଦ ସିଲ୍ କରିବାକୁ ଦାବି
ଦେଶରେ ବଢୁଛି ମନ୍ଦିର- ମସଜିଦ ବିବାଦ | କିଛିଦିନ ହେବ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ ପରେ ଏବେ ମଥୁରାର ବିବାଦୀୟ ଇଦ୍ଗାହ ମସଜିଦକୁ ନେଇ ଆରମ୍ଭ ହୋଇଛି ରାଜନୀତି | ଜ୍ଞାନବାପୀ ମସଜିଦ ତଳେ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ରହିଥିବା ଦାବି କରି କୋର୍ଟରେ ଆବେଦନ କରାଯାଇଥିଲା | ପରେ କୋର୍ଟଙ୍କ ଆଦେଶ ବଳରେ ସେଠାରେ ପ୍ରତ୍ନତତ୍ୱ ବିଭାଗ ସର୍ଭେ କରିବା ପରେ ପୁଣି ଏକ ମସଜିଦକୁ ନେଇ ଦେଖା ଦେଇଛି ବିବାଦ । ମଥୁରା ଠାରେ ଥିବା ଶାହି ଇଦଗାହ ମସଜିଦକୁ ସିଲ୍ କରିବା ପାଇଁ ମଥୁରା କୋର୍ଟରେ ଏକ ମାମଲା ଦାୟର ହୋଇଛି।
ହିନ୍ଦୁ ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଏହି ମସଜିଦ ପରିସରକୁ ଯଦି ସିଲ୍ କରାନଯାଏ ତେବେ ଗର୍ଭଗୃହ ଏବଂ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ୱିକ ମନ୍ଦିରର ଅବଶିଷ୍ଟାଂଶ ନଷ୍ଟ ହୋଇପାରେ। ମଥୁରା ସିଭିଲ କୋର୍ଟରେ ମହେନ୍ଦ୍ର ପ୍ରତାପ ସିଂ ଏକ ଅଭିଯୋଗ ଦାଖଲ କରି କହିଛନ୍ତି କି ଶାହି ଇଦଗାହ ମସଜିଦରେ ସୁରକ୍ଷା କଡାକଡି କରାଯାଉ । ଏଠାକୁ ଆସୁଥିବା ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଉ । ଏହାସହ ଏଠାରେ ଜଣେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସେ କୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ମହେନ୍ଦ୍ର ପ୍ରତାପ ସିଂ ଦାବି କରିଛନ୍ତି କି ଶାହି ଇଦଗାହ ମସଜିଦ ହେଉଛି ଶ୍ରୀକୃଷ୍ଣଙ୍କର ଅସଲ ଜନ୍ମଭୂମି । ଏଠାରେ ସମସ୍ତ ହିନ୍ଦୁ ଧାର୍ମିକ ଅବଶେଷ ରହିଛି । ଏହି ମସଜିଦ ତଳେ କମଳ ଶେଷନାଗ, ଓଁ, ସ୍ୱାସ୍ଥିକ ଚିହ୍ନ ଭଳି ହିନ୍ଦୁ ଧାର୍ମିକ ଅବଶେଷ ରହିଛି । ଏବେ ଏହାକୁ ନିଶ୍ଚିହ୍ନ କରିବାକୁ ମୁସଲମାନ ସଂପ୍ରଦାୟ ଚେଷ୍ଟା କରୁଥିବାରୁ ତୁରନ୍ତ ଏହାକୁ ସିଲ କରିବାକୁ ସେ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି ।
ଉଲ୍ଲେଖନୀୟ ଯେ, ବାରଣାସୀର ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ହେବା ପରେ ମସଜିଦର ସେହି ସ୍ଥାନକୁ ସିଲ୍ କରି ଦିଆଯାଇଛି। ଜ୍ଞାନବାପୀ ପରେ ଏବେ ମଥୁରାର ସାହି ଇଦ୍ଗାହ ମସଜିଦକୁ ମଧ୍ୟ ସିଲ୍ କରିବାକୁ ଦାବି ହୋଇଛି।