ସାଇକେଲରେ କନିଆ ଘରକୁ ଗଲେ ବର
ନିଜ ବାହାଘରକୁ ସ୍ମରଣୀୟ କରିବା ପାଇଁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି | କିଏ ହେଲିକପ୍ଟରରେ ମଝି ଆକାଶରେ ବିବାହ କରୁଛି ତ କିଏ ସମୁଦ୍ର ଅତଳ ଜଳରାଶି ଭିତରେ ସାତଜନ୍ମର ଜୀବନସାଥୀ ହେବାକୁ ପ୍ରତିଶୃତି ଦେଉଛି | ଆଉ କିଏ ବିବାହ ପାଇଁ ଦାମୀ ଗାଡି ମଗାଇ ତାକୁ ଫୁଲରେ ସାଜସଜ୍ଜା କରି କନିଆଁ ଘରକୁ ଯାଇଥାନ୍ତି | ନିଜ ବିବାହ ଉତ୍ସବକୁ ଖାସ୍ କରିବାକୁ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ ଥାନ୍ତି ଲୋକେ । କିନ୍ତୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରି ରାଜଧାନୀ ଭୁଵନେଶ୍ୱରରେ ସାଇକେଲରେ ବାହା ହେବାକୁ ଗଲେ ବର । ଆଉ ତାଙ୍କ ସହ ଚାଲି ଚାଲି ଗଲେ ବରଯାତ୍ରୀ । ୟୁନିଟ୍-୩ ଅଞ୍ଚଳର ଶୁଭ୍ରାଂଶୁ ସାମଲଙ୍କ ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ପେଟ୍ରୋଲ, ଡିଜେଲ ଦର ଏବେ ଆକାଶ ଛୁଆଁ | ମହଙ୍ଗା ତେଲ ଦରକୁ ନେଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ସମସ୍ତେ ଏହାର ପ୍ରତିବାଦ କରୁଥିବା ବେଳେ ଶୁଭ୍ରାଶୁଂ ନିଜ ବିବାହ ସମୟରେ ଏହାର ପ୍ରତିବାଦ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୟୁନିଟ୍-୩ ଅଞ୍ଚଳର ସିପ୍ରାଙ୍କ ସହ ତାଙ୍କର ବାହାଘର ହୋଇଥିଲା । ରୀତିନୀତି ଅନୁଯାୟୀ ବାହାଘର ପାଇଁ ଉଭୟ ପକ୍ଷ ପ୍ରସ୍ତୁତ ହୋଇଥିଲେ । ହେଲେ ସାଇକେଲରେ ବର ହୋଇ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଶୁଭ୍ରାଂଶୁ । କନ୍ୟା ପକ୍ଷ ମଧ୍ୟ ଏଥିରେ ରାଜି ହୋଇଥିଲେ । ସାଇକେଲରେ କନିଆ ଘର ଅଭିମୁଖେ ବାହାରିଥିଲେ ଶୁଭ୍ରାଶୁଂ । ଆଉ ବରଯାତ୍ରୀମାନେ ଚାଲି ଚାଲି ଯାଉଥିବା ନଜର ଆସିଥିଲା। ତେଲ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଶୁଭ୍ରାଂଶୁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।