ପୁଅ ବିବାହ ପାଇଁ ଖୁସିରେ ଫାଟି ପଡୁଥିଲା ପରିବାର | ବିବାହ ପାଇଁ ସୁଦୂର ଦିଲ୍ଲୀରୁ ପରିବାର ଲୋକେ ଧାଇଁ ଆସିଥିଲେ ମାଲକାନଗିର | କିନ୍ତୁ ଗତକାଲି ରାତିରେ ପୁଅର ବରଯାତ୍ରୀ ବାହାରିବା ସମୟରେ ଘଟିଲା ଅଘଟଣ | ବରଯାତ୍ରୀ ଡିଜେ ବଜାଇ କନ୍ୟା ଘରକୁ ବାହାରିଲା ବେଳେ ହୃଦଘାତରେ ବର ବାପାଙ୍କ ମୃତ୍ୟୁ ଘଟିଛି | ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସହରରେ |
ଦିଲ୍ଲୀର ମହେନ୍ଦ୍ର ରୋହିଲାଙ୍କ ପୁଅ ଅଙ୍କିତ ରୋହିଲା ମାଲକାନଗିରିର ଜଣେ ଝିଅକୁ ଫେସବୁକରେ ଭଲ ପାଇ ବସିଥିଲେ। ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ହେବା ପରେ ଜୀବନସାଥୀ ହେବା ନେଇ ନେଇଥିଲେ ନିଷ୍ପତ୍ତି । ଦୁଇ ପରିବାର ମଧ୍ୟରେ ବୁଝାମଣା ପରେ ବିବାହ ତାରିଖ ସ୍ଥିର ହୋଇଥିଲା | ପୁଅ ଅଙ୍କିତଙ୍କ ପରିବାର ଏବଂ ସମ୍ପର୍କୀୟ ଦିଲ୍ଲୀରୁ ମାଲକାନଗିରି ଆସି ଏକ ଘରୋଇ ହୋଟେଲରେ ରହିଥିଲେ। ରାତିରେ ବାହାଘର ଥିବାରୁ ବରଯାତ୍ରୀ ହୋଟେଲରୁ ଡିଜେ ବଜାଇ କନ୍ୟା ଘରକୁ ଯିବାକୁ ସଜବାଜ ହୋଇଥିଲେ | ବର ସଜବାଜ ହୋଇ ଗାଡ଼ିରେ ବସିଥିବା ବେଳେ ଡିଜେର ତାଳେ ତାଳେ ବରଯାତ୍ରୀମାନେ ନାଚ ଗୀତ କରୁଥିଲେ | ତେବେ ହଠାତ ବରର ବାପା ମହେନ୍ଦ୍ର ତଳେ ପଡି ଯାଇଥିଲେ | ତୁରନ୍ତ ତାଙ୍କୁ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୁଅ ଅଙ୍କିତ ଝିଅ ଘରକୁ ଯାଇ କନ୍ୟାକୁ ଜବରଦସ୍ତ ଟାଣି ଆଣି ମୋ ସାଥିରେ ଚାଲ ବୋଲି ଜିଦି ଧରିଥିଲେ | ସ୍ଥାନୀୟ ଲୋକେ ବରକୁ ବିରୋଧ କରିଥିଲେ | ପରେ ପୋଲିସ ହୋଟେଲରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲା । ଏହି ଘଟଣା ପ୍ରଚାର ହେବା ପରେ ସହରରେ ଭିଡ଼ ଜମିଥିଲା। ପୋଲିସ କୌଣସି ମାମଲା ରୁଜୁ ନ କରି ବରପିତାଙ୍କ ଶବକୁ ହସ୍ତାନ୍ତର କରିଛି।