ଏବେ ବିବାହର ଋତୁ ଆରମ୍ଭ ହୋଇଯାଇଛି | କେଉଁଠି ବର ଘୋଡାଗାଡିରେ, ଦାମୀ କାରରେ ତ କିଏ ହେଲିକପ୍ଟର ନେଇ କନ୍ୟା ଘରକୁ ଯାଇଥାନ୍ତି | କିନ୍ତୁ ଆଜି ଆମେ ଏମିତି ଜଣେ ବରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନସାଥିଙ୍କୁ ବିବାହ କରି ଘରକୁ ଆଣିବାକୁ ଜେସିବି ମେସିନ ନେଇ କନ୍ୟାଘରକୁ ଯାଇଥିଲେ | ଏହି ଘଟଣା ହିମାଚଳ ପ୍ରଦେଶର ଗିରିପାର ଅଞ୍ଚଳରେ ଦେଖିବାକୁ ମିଳିଛି | ତେବେ ସେ କୌଣସି ସଉକରେ ଜେସିବି ମେସିନରେ ବର ସାଜି ଯାଇନଥିଲେ ବରଂ ଏହି ଅଂଚଳରେ ପ୍ରବଳ ବରଫପାତ ହେଉଥିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା | ରାସ୍ତା ସାରା ବରଫ ଜମା ହୋଇଥିବାରୁ କୌଣସି ଗାଡି ମଧ୍ୟ ଉକ୍ତ ଗାଁକୁ ଯିବାକୁ ରାଜି ହୋଇନଥିଲେ | ଫଳରେ ବର ବାଧ୍ୟ ହୋଇ ଜେସିବି ମେସିନ ନେଇ କନ୍ୟାଘରେ ପହଞ୍ଚି ଥିଲେ | ବିବାହ ପରେ ସେହି ଜେସିବି ମେସିନ ଯୋଗେ କନ୍ୟାକୁ ନେଇ ଘରକୁ ଫେରିଥିଲେ | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଗିରିପର ଅଞ୍ଚଳର ସାଙ୍ଗ୍ରା ଗାଁରେ ଏଭଳି ଘଟଣା ଘଟିଥିଲା | ରବିବାର ସକାଳେ ବରଯାତ୍ରୀ ଶୋଭାଯାତ୍ରା ସାଙ୍ଗ୍ରାହ ଗ୍ରାମରୁ ରତୱା ଗାଁ ଅଭିମୁଖେ ବାହାରିଥିଲା | ପ୍ରବଳ ତୁଷାରପାତ ହେତୁ ଶୋଭାଯାତ୍ରା ଅଧା ବାଟ ପର୍ଯନ୍ତ ଯାଇଥିଲା ବେଳେ ଆଗକୁ ରାସ୍ତା ବନ୍ଦ ଥିବାରୁ କନ୍ୟା ଘରକୁ ଯିବା ଅସମ୍ଭବ ଥିଲା | ପରେ ବରଙ୍କ ପିତା ଜଗତ୍ ସିଂ ଏକ ଜେସିବି ମେସିନ୍ ବ୍ୟବସ୍ଥା କଲେ, ଯେଉଁଥିରେ ବର 30 କିଲୋମିଟର ଯାତ୍ରା କରି କନ୍ୟା ଘରେ ପହଞ୍ଚି ଥିଲେ | ଜେସିବି ମେସିନ୍ ରେ ବର ବିଜୟ ପ୍ରକାଶ, ଭାଇ ସୁରେନ୍ଦ୍ର, ପିତା ଜଗତ ସିଂ ଏବଂ ଫଟୋଗ୍ରାଫର ବସି ରତୱା ଗାଁରେ ପହଞ୍ଚିଥିଲେ। ପରେ ସେଠାରେ ବିବାହ ସାରିବା ପରେ କନ୍ୟାଙ୍କୁ ମଧ୍ୟ ଉକ୍ତ ଜେସିବି ମେସିନରେ ବସାଇ ଘରକୁ ଆଣିଥିଲେ | ତେବେ ରାସ୍ତା ବନ୍ଦ ହେବା କାରଣରୁ 2 ଘଂଟାର ରାସ୍ତା ପାଇଁ ତାଙ୍କୁ 12 ଘଣ୍ଟା ସମୟ ଲାଗିଥିଲା | ଯେତେ ସମସ୍ୟା ହେଲେ ମଧ୍ୟ ଶେଷରେ ବର କନ୍ୟାକୁ ଧରି ଘରକୁ ଫେରିଥିଲେ |