ପୁଣି ଡ଼ରାଇଲାଣି ମହାମାରୀ କରୋନା | ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ | ବଢ଼ୁଥିବା କରୋନା ମାମଲାକୁ ନଜରରେ ରଖି ଶିଶୁଙ୍କୁ କୋଭିଡ ଟିକା ଦେବାକୁ ସରକାର ନେଇଛନ୍ତି ନିଷ୍ପତ୍ତି | ଖୁବଶୀଘ୍ର ୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା | କୋର୍ବେଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଡ଼ିସିଜିଆଇ ବିଶେଷଜ୍ଞ କମିଟି ସୁପାରିଶ କରିଛି । ଅନୁମତି ମିଳିରେ ହାଇଦ୍ରବାଦର ବାୟୋଲୋଜିକାଲ ଇ’ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ୫ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ । ଆସନ୍ତା କିଛି ଦିନ ଭିତରେ ଏହି କମିଟି ଏଦିଗରେ ଚୁଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାଯାଇଛି ।
ବର୍ତ୍ତମାନ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯାଉଛି କୋର୍ବେଭାକ୍ସ ଟିକା । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଲାଗି ଗତ ଜାନୁଆରୀ ୩ରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା | ୧୫ରୁ ୧୮ ବର୍ଷ ପିଲାମାନଙ୍କୁ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟିକା ଦିଆଯାଉଛି | ଏହି ଟିକା ଉଭୟ ସରକାରୀ ଏବଂ ବେସରକାରୀ ଟୀକାକରଣ କେନ୍ଦ୍ରରେ ଉପଲବ୍ଧ | ସରକାରୀ କେନ୍ଦ୍ରରେ କେବଳ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯାଉଛି |