ଏକ ସରକାରୀ ଗୋଚର ଜମିକୁ ଜଣେ ବ୍ୟକ୍ତି ନିଜ କବ୍ଜାକୁ ନେବା ସହ ତା ଉପରେ ପକ୍କା ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି | ବାରମ୍ବାର ବିରୋଧ ସତ୍ୱେ ବ୍ୟକ୍ତି ଜଣକ ପକ୍କା ଘର ନିର୍ମାଣ କାମ ବନ୍ଦ କରୁନାହାନ୍ତି | ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜାମୁଗାଁ ପଂଚାୟତର କଣ୍ଟୁଣିଆ ହାଟ ନିକଟରେ | ଏଠାରେ ଥିବା ଏକ ଗୋଚର ଜମିକୁ ଅରୁଣ ପାତ୍ର ନାମକ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଦଖଲ କରିବା ସହ ପକା ଘର ନିର୍ମାଣ କରୁଛନ୍ତି | ଏହି ବେଆଇନ ଘର ନିର୍ମାଣକୁ ବିରୋଧ କରି ସେହି ପଂଚାୟତର ଜଣେ ସମାଜ ସେବୀ ଦିଲୀପ କୁମାର ପାଢ଼ୀ କିଛିଦିନ ତଳେ ନାଉଗାଁ ତହସିଲଦାରଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦେଇଥିଲେ | ହେଲେ ଏହାର କିଛି ସୁଫଳ ମିଳି ନଥିଲା l ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପକା ଘର ନିର୍ମାଣ ଚାଲୁ ରଖିଥିଲେ | ଏହାକୁ ଦିଲୀପ ପାଢ଼ୀ ବିରୋଧ କରିବାରୁ ଉକ୍ତ ବ୍ୟକ୍ତି ଜଣକ ଦିଲୀପଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତହସିଲ କର୍ମଚାରୀଙ୍କ ସମୁଖରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି l ଏହାର ପ୍ରତିବାଦରେ ଦିଲୀପ ପାଢ଼ୀ ଆଜି ଆଉ ଏକ ଦାବିପତ୍ର ନାଉଗାଁ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି l ଯଦି ଆଗାମୀ ଦିନରେ ସେହି ବେଆଇନ ଗୃହ ନିର୍ମାଣକୁ ବନ୍ଦ କରାନଯାଏ ତେବେ ସେ ତହସିଲ ଅଫିସ ସମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିବା ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି l