ନିଆଁ ଲାଗି ପୋଡିଗଲା ନଗଦ୬୫ ହଜାର ଟଙ୍କା | ଏଥିସହିତ ଘରେ ଥିବା ସୁନାରୂପା ଗହଣା ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି | ଅଗ୍ନିକାଣ୍ଡରେ ଦୁଇ ବଖରା ସମେତ ଘରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ହୋଇଯାଇଛି ଭସ୍ମୀଭୂତ | ସବୁ ସାମଗ୍ରୀ ପୋଡି ଜଳି ଯାଇଥିବାରୁ ସର୍ବସ୍ୱାନ୍ତ ହୋଇପଡିଛନ୍ତି ପରିବାର ଲୋକେ | ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶଂ ପଞ୍ଚାୟତର ମଠସାଇ ଗ୍ରାମରେ | ଗତକାଲି ରାତିରେ ଚାଦଖାଁ ପାଟଣା ସ୍ଥିତ ମଠସାଇ ଗ୍ରାମର ରଞ୍ଜନ ପ୍ରଧାନଖାଇ ପିଇ ପରିବାର ସହିତ ଶୋଇଥିଲେ । ରାତ୍ର ଦୁଇଟା ସମୟରେ ତାଙ୍କ ଘରର ଏକ କଣରୁ ନିଆଁ ଜଳୁଥିବା ତାଙ୍କର ୧୫ ବର୍ଷର ଝିଅ ଦେଖି ପରିବାର ଲୋକଙ୍କୁ ଡାକ ପକାଇଥିଲା । ଝିଅର ପାଟିଶୁଣି ବାପା ରଞ୍ଜନ, ମା ଏବଂ ତାର ଭଉଣୀ, ଛୋଟ ଭାଇ ଘର ବାହାରକୁ ପଳାଇ ଆସିଥିଲେ । ପାଟିତୁଣ୍ଡ ଶୁଣି ପାଖ ପଡିଶା ଲୋକ ମଧ୍ୟ ଉଠି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ | ପରେ ନାଉଗାଁ ଅଗ୍ନିଶମ ବିଭାଗକୁ ଗ୍ରାମବାସୀ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଦୁଇ ବଖରା ସମ୍ପୂର୍ଣ ଘର ସମେତ ଘର ଭିତରେ ଥିବା ନଗଦ ୬୫ ହଜାର ଟଙ୍କା, ବାସନ କୁସନ, ଲୁଗାପଟା, ସୁନା ରୂପା, ଚାଉଳ ଧାନ ଆଦି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଆଜି ସକାଳୁ ସ୍ଥାନୀୟ ଯୁବକ ତରୁଣ କାନ୍ତ ବାରିକ ଏବଂ ନିହାର ରଂଜନ ବସ୍ତିଆ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କୁ କିଛି ଆଥିର୍କ ସହଯୋଗ କରିବା ସହିତ ବ୍ଳକ ପ୍ରଶାସନ ପକ୍ଷରୁ ତୁରନ୍ତ ରଞ୍ଜନଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ।