ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି | ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସର ଦର ବୃଦ୍ଧି କଥା ନକହିବା ଭଲ | ଉପରମୁହାଁ ତେଲ ଓ ଗ୍ୟାସ ଦର | ଏହି ଦରବୃଦ୍ଧିର ପ୍ରଭାବ ସିଧାସଳଖ ରୋଷାଇ ଘର ଉପରେ ପଡୁଛି | ତେବେ ଏହାକୁ ନେଇ ମଧ୍ୟ ରାଜନୈତିକ ଦଳମାନେ ଆରମ୍ଭ କରିଦେଇଛନ୍ତି ସେମାନଙ୍କର ରାଜନୀତି । ରୋଷେଇ ଗ୍ୟାସକୁ ନେଇ ଗୋଆ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋମବାର ଦିନ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ନେବା ପରେ ରାଜ୍ୟବାସୀଙ୍କୁ ଦେଇଛନ୍ତି ଏହି ବଡ ଖୁସି ଖବର । ଗୋଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏଣିକି ବର୍ଷକୁ ମାଗଣାରେ ମିଳିବ ୩ଟି ଗ୍ୟାସ୍ ସିଲିଣ୍ଡର। ଆସନ୍ତା ଏପ୍ରିଲ ମାସରୁ ଗୋଆବାସୀ ଏହି ମାଗଣା ଗ୍ୟାସ୍ ସିଲିଣ୍ଡର ପାଇବେ ବୋଲି କୁହାଯାଇଛି |
ସୂଚନାଯୋଗ୍ୟ ଯେ, ଗୋଆ ବିଧାନସଭା ବେଳେ ବିଜେପି ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ବାର୍ଷିକ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା | ସୋମବାର ସନ୍ଧ୍ୟାରେ ଏକ ଟୁଇଟ୍ରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଦଳର ପ୍ରତିଶୃତି ଅନୁଯାୟୀ ନୂତନ ଆର୍ଥିକ ବର୍ଷରୁ ତିନୋଟି ସିଲିଣ୍ଡର ମାଗଣାରେ ଯୋଗାଇ ଦେବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।