ନୂଆଦିଲ୍ଲୀ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ ଦିଆଯାଇଛି । ଓଡ଼ିଶା ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି । ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନରର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲାଙ୍କଠାରୁ ସେମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଗତକାଲି ସୂଚନା ମିଳିଥିଲା । ଏହା ପରେ ଓଡ଼ିଶା ପାଭିଲିୟନରେ ଖୁସିର ଲହରୀ ଖେଳିଯାଇଛି । ପରେ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବା ସହିତ ଅନ୍ୟ ରାଜ୍ୟ ପାଭିଲିୟନ ଗୁଡିକ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ବର୍ଷର ବିଷୟବସ୍ତୁ “ବସୁଧୈବ କୁଟୁମ୍ବକମ, ୟୁନାଇଟେଡ ବାଇ ଟ୍ରେଡ” ଆଧାରରେ ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା ଏବଂ ଉତ୍କଳୀୟ କଳାକୃତିକୁ ପ୍ରଗତି ମୈଦାନର ୨ ନମ୍ବର ହଲରେ ଜୀବନ୍ତ ଭାବେ ପ୍ରଦର୍ଶିତ କରିଥିବା ଓଡ଼ିଶା ପାଭିଲିୟନ । ପ୍ରଥମ ଦିନରୁହିଁ ଦର୍ଶକମାନଙ୍କ ଅହେତୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।
ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓରମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ-କ୍ଷୁଦ୍ର-ମାଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲ ସ୍ଥାନ ପାଇଥିଲା । ନୌକାର ଡେକ ଓ ଷ୍ଟଲ ଉଭୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ଵାରା ଉତ୍ପାଦିତ କରୁଣା ରେଶମ ବସ୍ତ୍ର ଏବଂ ସମ୍ବଲପୁରୀ, ଟସର, ଡ଼ଙ୍ଗରିଆ ଜନଜାତି ଶାଲ ଓ କୋଟପାଡ ହସ୍ତତନ୍ତ ଲୁଗା ସମେତ ଧାନ, କାଷ୍ଠ, ପ୍ରସ୍ତର, ସବାଇ ଘାସ, କାଇଞ୍ଚ, ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ଲାଞ୍ଜିଆ ସଉରା ଚିତ୍ର କଳା, ରଘୁରାଜପୁର ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ସହିତ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ଥିଲା ।