ଘଟଗାଁ ମା’ ତାରିଣୀ ପୀଠରେ ଚାଲିଛି ଚଇତି ପର୍ବ | ଆଜି ମହାବିଷୁବ ବା ପଣା ସଂକ୍ରାନ୍ତି ଅବସରରେ ମାଙ୍କୁ ସ୍ୱତନ୍ତ୍ର ରୀତିନୀତିରେ କରାଯାଉଛି ପୂଜାର୍ଚ୍ଚନା l ଆଜି ମାଙ୍କ ସୁନାବେଶ | ସୁନା ଅଳଙ୍କାରରେ ଛାଉଣୀ ହୋଇଛନ୍ତି ମା ତାରିଣୀ | ମାଙ୍କ ଏହି ବେଶ ଦେଖିବାକୁ ଆଜି ଭୋରରୁ ହୋଇଛି ଲକ୍ଷାଧିକ ଭକ୍ତଙ୍କ ସମାଗମ | ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଠିଆ ହୋଇ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି l
ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଅନୁଷ୍ଠିତ ହୋଇପାରିନଥିଲା ପ୍ରସିଦ୍ଧ ଚଇତି ପର୍ବ l ତେବେ ଚଳିତ ବର୍ଷ ବହୁ ଆଡମ୍ବରରେ ଏହା ପାଳନହେଉଛି ଚଇତି ପର୍ବ |ତେବେ ଏହି ସମୟରେ ମାଙ୍କ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ, ଘୋଡା ନାଚ ଓ ଝୁମର ନୃତ୍ୟ ଆଦିର ଆୟୋଜନ କରାଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ, ଘଟଗାଁ ପକ୍ଷରୁ ସୂଚନା ଦିଆଯାଇଛି l