ପ୍ରେମ ଶାଶ୍ୱତ , ପ୍ରେମ ଚିରନ୍ତନ | ପ୍ରେମ ମାନେ ନାହିଁ ଜାତି ଧର୍ମର ବାଡ଼ ବନ୍ଧନ | ପ୍ରେମରେ ନ ଥାଏ ସୀମା ସରହଦ | ସାତ ସମୁଦ୍ର ପାରିହୋଇ ବଲାଙ୍ଗୀରର ବୋହୂ ସାଜିଲେ ଜର୍ମାନୀର ଝିଅ “ଏମା” । ମଥାରେ ଓଢ଼ଣୀ, ସିନ୍ଥିରେ ସିନ୍ଦୂର ପିନ୍ଧାଇ ସ୍ଲୋଭେନିଆ ଯୁବତୀ ଏମାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କଲେ ବଙ୍ଗୋମୁଣ୍ଡା ବ୍ଲକ୍ ଦେଢ଼ଗାଁ ଗ୍ରାମର ସୌରଭ ସେନାପତି। ହୋମ ନିଆଁକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେଲେ ସୌରଭ ଏବଂ ଏମା | ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିବା ଏମା ଆଜି ସାଜିଛନ୍ତି ଓଡ଼ିଆ ବୋହୂ ।
ଦେଢ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀ ମ୍ୟୁନିମ ସହରରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି । ସେଠାରେ ଜର୍ମାନୀ ସ୍ଲୋଭେନିଆ ସହରର ଏମା. ବିଧମ ଶେଖ ନାମକ ଝିଅ ମଧ୍ୟ କାମ କରନ୍ତି । କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩ ବର୍ଷ ପ୍ରେମ ସମ୍ପର୍କ ପରେ ସେମାନେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି | ପୁଅ ଝିଅ ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନ କଥା ଜଣାଇଥିଲେ । ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହେବା ପରେ ଭାରତୀୟ ସଂସ୍କୃତିରେ ଚଳିତ ମାସ ୨୦ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ସମ୍ପନ୍ନ ହୋଇଛି ବିବାହ ।
ରବିବାର ସୌରଭଙ୍କ ଗାଁ ଦେଢ଼ଗାଁଠାରେ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥିଲା । ବିଦେଶୀ ଝିଅ ଏମା ବାହାଘର ଭୋଜିରେ ସ୍ୱାମୀଙ୍କ ସହ ସ୍ଥାନୀୟ ଗୀତର ତାଳେ ତାଳେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବରେ କନ୍ୟା ଘର ପକ୍ଷରୁ ଆମେରିକା, କ୍ରୋଏସିଆ, ସ୍ଲୋଭେନିଆରୁ ୧୩ ଜଣ ସାମିଲ ହୋଇଛନ୍ତି । ସେମାନେ ମଧ୍ୟ ଏହି ବିବାହରେ ଖୁସି ମନେଇବା ସହ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗାଁ ପରିବେଶ ଦେଖି ବହୁତ ଖୁସିବ୍ୟକ୍ତ କରିଛନ୍ତି । ବିବାହକୁ ନେଇ ପୁଅ ପରିବାର ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ସେହିପରି ଦେଢ଼ଗାଁ ଲୋକେ ମଧ୍ୟ ବିଦେଶୀ ବୋହୂ ପାଇ ବହୁତ ଖୁସି ଥିବା କହିଛନ୍ତି |